ପୁରୀ, ୧ ଜୁନ୍ (ହି.ସ.) - ଜୁନ ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରାୟ ୪୦ଲକ୍ଷ ଭକ୍ତ ପୁରୀକୁ ଆସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଚୋରା ବେପାରୀ ମାନେ ସକ୍ରିୟ ହୋଇଉଠିଛନ୍ତି । ପାଣି ବୋତଲ, ଥଣ୍ଡା ପାନୀୟ ମାଜା, ଲିଚି ଆଦି ପାନୀୟ ବୋତଲରେ ଆଇଏସଆଇ ବ୍ରାଣ୍ଡ ନଥିବା ଦେଖିବାକୁ ମିଳୁଛି । ପାଣିର ବୈଧତା, ଶୁଦ୍ଧତା ଓ ଗୁଣବତା ରହୁ ନଥିବା ଅଭିଯୋଗ ହେଉଛି। ନକଲି ପାଣି ବୋତଲରୁ ପାଣି ପିଇ ଝାଡା ବାନ୍ତିରେ ଲୋକେ ପଡୁଥିବା ଅଭିଯୋଗ ହେଉଛି । ଘରପାଣି, ମାଠିଆ ପାଣି, ସୁରେଇ ପାଣି ଓ ଫ୍ଲିଟର ପାଣି ଲୋକମାନେ ବ୍ୟବହାର କରୁନଥିବା ବେଳେ ବଜାରରୁ ଦଶ ଟଙ୍କିଆ ପାଣି ପିଇ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବଜାରରୁ ବୋତଲ ପାଣି ପିଇବା ସୌକ ହୋଇଗଲାଣି । ଟ୍ୟୁବେଲ ପାଣି, ବୋତଲ ଓ ପ୍ୟାକିଂରେ ଦୁଇ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବଜାରରେ ୨୦ ଟଙ୍କାରେ ଲିଟରକିଆ ପାଣି ମିଳୁଛି । ପଇଡ ଗୋଟାକୁ ୩୦ ଓ ୪୦ ଟଙ୍କା ପଡୁଥିବାବେଳେ ଲୋକେ ୧୦ ଟଙ୍କାରେ ଲିଚି ପିଉଛନ୍ତି । ରାସାୟନିକ ଫ୍ଲେବର ଦେଇ ଥଣ୍ଡା ପାନୀୟ ବହୁଳ ମାତ୍ରାରେ ବିକ୍ରି ଚାଲିଛି। ପାଣି ବୋତଲରେ ନିର୍ମାଣ ତାରିଖ ଓ ଅବଧି ଶେଷ ତାରିଖ ଲେଖା ଯାଉନାହିଁ । ଅସାଧୁ ପାଣି ବ୍ୟବସାୟୀଙ୍କ ପାଇଁ କଚେ ପୁଅ ବାର ହୋଇଥିବା ବେଳେ ଅସଲି ପାଣି କମ୍ପାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପୁରୀ ସହର ଓ ସହରତଳି ଅଂଚଳରେ ନକଲି ପାଣି ଫ୍ୟାକ୍ଟ୍ରି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଉନାହିଁ । ନାମୀଦାମୀ କମ୍ପାନୀର ଷ୍ଟିକର ବ୍ୟବହାର କରି ଅସାଧୁ ବ୍ୟବସାୟୀ ମାନେ ମୁନାଫା ଉଠାଉଛନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନଙ୍କ ପ୍ରାଧିକରଣ (ଏଫଏସଏଆଇ) ବୋତଲେ ଲେଖା ଯାଉନାହିଁ । ପ୍ଲାଷ୍ଟିକ ବୋତଲରେ ପାଣି ପ୍ୟାକିଂ କରି ରଖିଲେ ସେଥିରୁ ମିନେରାଲ ଗୁଣ ନଷ୍ଟ ହୋଇଯାଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ପ୍ଲାଷ୍ଟିକ ବୋତଲରୁ ପାଣି ପିଇଲେ ମାଇକ୍ରୋ ପ୍ଲାଷ୍ଟିକ ଗୁଣ୍ଡ ପାଣି ପିଇବା ସମୟରେ ପେଟକୁ ଯାଇଥାଏ । ଏହି ପାଣି ବାରମ୍ବାର ପିଇଲେ କ୍ୟାନସର ସମେତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ଫୁଡ ସେଫ୍ଟି ଅଫିସର ପାଣି ବୋତଲକୁ ଚେକିଂ କରୁନଥିବା ଅଭିଯୋଗ ହେଉଛି। ରଥଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ପାଣି ବାଂଟିବା ନାମରେ ବଡଦାଣ୍ଡରେ ପ୍ରବେଶ କରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ହାତ ବୁଡାଇ ପ୍ଲାଷ୍ଟିକ ଗିଲାସରେ ପାଣି ବାଣ୍ଟିବା ଯୋଗୁ ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । କେତେକ କମ୍ପାନୀ ପାଣି ବୋତଲର ଅବଧି ତାରିଖ ଶେଷ ହେବା ପରେ ଲକ୍ଷ ଲକ୍ଷ ସଂଖ୍ୟାରେ ପାଣି ବୋତଲ ମାଗଣାରେ ବଂଟନ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ନକଲି କମ୍ପାନୀର ବିଭିନ୍ନ କଲର ବୋତଲ ଓ ଷ୍ଟିକର ଲଗାଇ ରଥଯାତ୍ରାରେ ବାଂଟୁଥିବା ପରିଲକ୍ଷିତ ହେଉଛି । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଟିମ ବିଭିନ୍ନ ପାଣି ଫ୍ୟାକ୍ଟ୍ରି ଓ ବଡଦାଣ୍ଡ ସମେତ ସମୁଦ୍ରକୂଳ ଅଂଚଳରେ ଚେକିଂ ଚଢାଉ କରି ଫାଇନ ପକାଇବା ପାଇଁ ବୁଦ୍ଧଜୀବୀ ମାନେ ମତପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ