ଅହମଦାବାଦ, 15 ଜୁନ୍ (ହି.ସ.)- ଅହମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ 32
ଜଣ ମୃତକଙ୍କର ଡିଏନଏ ନମୁନା ମେଳ ଖାଇଛି। 32ଟି ପରିବାର ସହିତ ଯୋଗାଯୋଗ କରାଯାଇଛି। ଏପର୍ଯ୍ୟନ୍ତ ମୋଟ 14ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ଅହମଦାବାଦରେ ଜୁନ ୧୨ରେ
ଲଣ୍ଡନ୍କୁ ଯାଉଥିବା ଏୟାର୍ ଇଣ୍ଡିଆର ଫ୍ଲାଇଟ୍ ଏଆଇ171 ମେଘାଣୀନଗରରେ କ୍ରାସ ହୋଇଥିଲା। ଏହି
ଦୁର୍ଘଟଣାରେ ମୃତକଙ୍କ ମୃତଦେହ ଏତେ କ୍ଷତବିକ୍ଷତ ହୋଇଯାଇଥିଲା ଯେ ସେମାନଙ୍କୁ ଚିହ୍ନଟ କରିବା
କଠିନ୍ ହୋଇପଡିଥିଲା। ଏହି କାରଣରୁ ମୃତକ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କର ଡିଏନଏ ନମୁନା
ମାଧ୍ୟମରେ ମୃତଦେହର ଚିହ୍ନଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଚିହ୍ନଟ ପ୍ରକ୍ରିୟା ସଂପର୍କରେ
ଅହମଦାବାଦ ସିଭିଲ୍ ହସ୍ପିଟାଲର ଆଡିସନାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡା. ରଜନୀଶ ପଟେଲ୍ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ
ଏପର୍ଯ୍ୟନ୍ତ 32 ଜଣ ମୃତକଙ୍କର ଶବ ସେମାନଙ୍କର ପରିବାରସଦସ୍ୟଙ୍କ ସହିତ ମେଳ ଖାଇଛି। ଏଥିରେ
ଅହମଦାବାଦର 4, ବଡୋଦରାର 2,
ଖେଡ଼ାର 1, ଅରାବଲୀର 1, ବୋଟାଦର 1,
ମହେସାଣାର 4 ଏବଂ ଉଦୟପୁରର 1 ମୃତକ ରହିଛି ।
ପ୍ରତ୍ୟେକ ମୃତକ ପରିବାର ପାଇଁ ଏକ ଅଲଗା ଟିମ୍ ନିଯୁକ୍ତ କରାଯାଇଛି। ଏହି ଦଳରେ ଜଣେ ଜ୍ୟେଷ୍ଠ
ଅଧିକାରୀ, ଜଣେ ପୋଲିସ
କର୍ମଚାରୀ ଏବଂ ଜଣେ ପେଶାଦାର କାଉନ୍ସଲର୍ ଅଛନ୍ତି। ସେ କହିଛନ୍ତି ଯେ ଯେଉଁ ମୃତକଙ୍କ ଡିଏନଏ ନମୁନା
ମେଳ ଖାଇଛି, ସେମାନଙ୍କର
ପାର୍ଥିବ ଦେହକୁ ସମ୍ମାନ ସହିତ ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଉଛି। ଏପର୍ଯ୍ୟନ୍ତ ମୋଟ 14ଟି
ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା