ଜୟପୁର, ୨୦ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ପୋଲକୁ ନେଇ ବଢୁଛି ଜନ ଅସନ୍ତୋଷ । ଗ୍ରାମାଚଂଳ ଲୋକଙ୍କ ସୁଗମନାଗମନ ପାଇଁ ୮ ବର୍ଷ ପୂର୍ବେ ବ୍ଲକର ଚାରୋଟି ସ୍ଥାନରେ ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହେଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲାନି । କୁନ୍ଦୁରା ପଂଚାୟତ କୁର୍ଲୁ ନଦୀରେ ବନୁଗୁଡା ଓ ବାରବନ୍ଧାରେ ଦୁଇଟି ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଡ଼ଙ୍ଗରପାଉଁସି ପଂଚାୟତର ବେଢାପାଉଁସି ଏବଂ କଟାରିପୁଟ କୋଲାବ ନଦୀରେ ଦୁଇଟି ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି । ଏହି ଚାରୋଟି ହାଇଲେବଲ ପୋଲ ନିର୍ମାଣ କାର୍ଯ୍ୟ ଏନବିସିସି ନାମକ ଏକ ଠିକାସଂସ୍ଥାକୁ ଟେଣ୍ଡର ମିଳିଥିଲା, କିନ୍ତୁ ଠିକାଦାରଙ୍କ ମନମାନି ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ପୋଲ ନିର୍ମାଣ କାର୍ଯ୍ୟ । ଫଳରେ ଯାତାୟାତ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । କୁର୍ଲୁ ନଦୀରେ ବ୍ରିଜ ନିକଟରେ ରାସ୍ତା ନିର୍ମାଣ ହୋଇନାହିଁ ଏବଂ ପଥର ପେଚିଙ୍ଗ ମଧ୍ୟ ହୋଇନାହିଁ, ବ୍ରିଜ ନିର୍ମାଣ ହୋଇଥିବା ସ୍ଥାନରେ ଛୋଟବଡ଼ ଫାଟ ମଧ୍ୟ ସୃଷ୍ଟି ହୋଇଛି, ଫଳରେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
ସେହିପରି ୨୦୧୮ ରେ କୁନ୍ଦୁରା ବ୍ଲକ ଡ଼ଙ୍ଗରପାଉଁସି ପଂଚାୟତ କୋଲାବ ନଦୀରେ ଦୁଇଟି ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇନି । ପ୍ରଶାସନର ଅବହେଳା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୪ଟି ହାଇଲେବଲ ବ୍ରିଜ ନିର୍ମାଣ କାର୍ଯ୍ୟ ଅବହେଳିତ ଭାବରେ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ