ଜୟପୁର, ୨୦ ଜୁନ୍ (ହି.ସ.)
କୋରାପୁଟ ଜିଲା କୋଟପାଡ ବ୍ଲକ ବୋବେୟା ରବି ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବା ଚାଷି ସହ ମା ମାଉଲି କୃଷକ ସଂଘର କର୍ମକର୍ତ୍ତା ଆଜି ଜୟପୁର ସ୍ଥିତ ଜିଲା ଯୋଗାଣ ଅଧିକାରିଙ୍କ କାଯ୍ୟାଳୟ ସହ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟ ଘେରାଉ କରିଛନ୍ତି । ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦିପ ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରବି ମଣ୍ଡିରେ ପ୍ରାୟ ୪୪ ହଜାର କ୍ଵିଣ୍ଟାଲ ଧାନ ବିକ୍ରୟ ପାଇଁ ସରକାରଙ୍କ ଠାରୁ ଟୋକେନ ମିଳିଛି । କିନ୍ତୁ, ମଣ୍ଡି ଆରମ୍ଭ ଦିନ ଠାରୁ ମାତ୍ର ୨୪ ହଜାର ଧାନ ଆଜି ପର୍ଯ୍ୟନ୍ତ ଉଠାଯାଇଛି । ରବି ଧାନ କ୍ରୟ କରିବା ପାଇଁ ଯେଉଁ ମିଲର ମାନଙ୍କୁ ନିଯୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ମିଲରଙ୍କ ଦେଖା ମିଳୁନାହିଁ । ସମସ୍ତ ଚାଷିଙ୍କର ଯାହାର ଆଜି ପର୍ଯ୍ୟନ୍ତ ଧାନ ବିକ୍ରୟ ହୋଇ ପାରିନାହିଁ ଆସନ୍ତା ୩୦ ତାରିଖରେ ଟୋକେନ ଅବଧି ଶେଷ ହୋଇଯିବ । ବୋବେୟା ରବି ମଣ୍ଡିରେ ପ୍ରାୟ ୨୦ ହଜାର କ୍ୱିଇଣ୍ଟାଲ ଧାନ ଗଛିତ ହୋଇ ରହିଛି । ପ୍ରତ୍ୟେକ ଦିନ ମଣ୍ଡିରେ ୩ ହଜାର କ୍ୱିଣ୍ଟାଲ ଧାନ କିଣିବାର ନିୟମ ଥିବାବେଳେ ତାହାକୁ ପାଳନ କରାଯାଇ ନାହିଁ । ଯେତିକି ଧାନ ଘଟିତ ଅଛି ଟୋକେନ ଅବଧି ପୂର୍ଵରୁ ଧାନ ଉଠିବ ନାହିଁ ବୋଲି ଆଶଙ୍କା କରିଛନ୍ତି ଚାଷି । ତେଣୁ ପ୍ରଶାସନ ବୋବେୟା ଧାନ ମଣ୍ଡିରୁ ଧାନ ଶିଘ୍ର ନ ଉଠାଇଲେ ଆସନ୍ତା ୨୪ ତାରିଖ ମଙ୍ଗଳବାର ଠାରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତାରୋକ ସହ ଉପ ଜିଲାପାଳ କାଯ୍ୟାଳୟ , ଜିଲା ଯୋଗାଣ ଅଧିକାରିଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରୋକ କରାଯିବ, କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟିରହିବ ବୋଲି ସଂଘ ସଭାପତି ଜଗଦିଶ ବିଷୋୟୀ, ତାରିଣୀକାନ୍ତ ପ୍ରଧାନୀ, ବନ ମାଳୀ ପୁଜାରୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଦାବିପତ୍ରକୁ ଗ୍ରହଣ କରି ମଣ୍ଡିରୁ ତୁରନ୍ତ ଧାନ ଉଠିବ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦିପ କୁମାର ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି