ଗଞ୍ଜାମ, ୨୦ ଜୁନ୍ (ହି.ସ.)- ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ଜଡ଼ିତ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସଡିଜେଏମ୍ ରୁରାଲ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଂଚ । ଏଥିସହ ଟିଆଇ ପରେଡ୍ କରିବା ପାଇଁ କ୍ରାଇମବ୍ରାଂଚ ଓ ପୋଲିସ ନିଷ୍ପତି ନେଇଥିବା ସୂଚନା ମିଳିଛି । ରିମାଣ୍ଡରେ ନେଇ ଅଭିଯୁକ୍ତ ମାନଙ୍କ ଠାରୁ ଘଟଣା ବାବଦରେ ଅଧିକ ତଥ୍ୟ ଆଦାୟ କରିବାକୁ ଆଶା ରଖିଛି କ୍ରାଇମବ୍ରାଂଚ । ଅଭିଯୋଗ ମୁତାବକ, ଗତ ୧୫ ତାରିଖ ଅପରାହ୍ନରେ ବ୍ରହ୍ମପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ର ବନ୍ଧୁଙ୍କ ସହ ସମ୍ପୃକ୍ତ ଛାତ୍ରୀ ଗୋପାଳପୁର ବୁଲିବାକୁ ଆସିଥିଲେ । ସଂନ୍ଧ୍ୟାରେ ପାନ୍ଥନିବାସ ବେଳାଭୂମି ନିକଟରେ ଉଭୟେ ବସି ଗପସପ କରୁଥିବା ବେଳେ ସମ୍ପୃକ୍ତ ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ ବେଳାଭୂମିରେ ପହଂଚି ଥିଲେ । ସେମାନେ ସେଠାରେ ମଦ୍ୟପାନ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ପରେ ପୀଡ଼ିତା ଏ ସଂକ୍ରାନ୍ତରେ ଗୋପାଳପୁର ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା । ଘଟଣାରେ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ୧୦ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ପୂର୍ବରୁ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କର ଡିଏନଏ ନମୂନା ସଂଗ୍ରହ କରାଯାଇଥିଲା । ପୀଡ଼ିତାଙ୍କ ବୟାନକୁ ଅଡ଼ିଓ ଭିଜୁଆଲରେ ରେକର୍ଡ଼ କରାଯାଇଥିଲା । ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଥାନାରେ ଘଂଟାଏରୁ ଅଧିକ ସମୟ ଧରି ଜେରା କରିଥିଲା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ