ଲୋକଙ୍କ କାମରେ ଆସୁନି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର
ମାଲକାନଗିରି, ୨୦ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ଠାରେ ୨୦୧୫-୧୬ ମସିହାରେ ବଣ୍ଡା ଜନଜାତିର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର (କ୍ଷୁଦ୍ର ଶିଳ୍ପ) ପ୍ରତିଷ୍ଠା କରାଗଲା । ବଣ୍ଡାଘାଟିର ୫୩ ଜଣ ମହିଳାଙ୍କୁ ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ହସ୍ତାନ
ଲୋକଙ୍କ କାମରେ ଆସୁନି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର


ମାଲକାନଗିରି, ୨୦ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ଠାରେ ୨୦୧୫-୧୬ ମସିହାରେ ବଣ୍ଡା ଜନଜାତିର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର (କ୍ଷୁଦ୍ର ଶିଳ୍ପ) ପ୍ରତିଷ୍ଠା କରାଗଲା । ବଣ୍ଡାଘାଟିର ୫୩ ଜଣ ମହିଳାଙ୍କୁ ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ମହିଳାମାନେ କାଜୁ ଖରିଦ କରିବା ପରେ ଏଠାରେ କାଜୁ ମଞ୍ଜି ବାହାର କରି ଏହାକୁ ରାଜ୍ୟ ବାହାରକୁ କିମ୍ବା ବାହାର ଦେଶକୁ ରପ୍ତାନୀ କରିବାର ଯୋଜନା ରହିଥିଲା । ୨୦୧୭ ମସିହାରେ ଏହି କେନ୍ଦ୍ର ଜୋରସୋରରେ ଚାଲିଲା । ତେବେ କିଛି ବର୍ଷ ଚାଲିବା ପରେ ପୁଣି ବନ୍ଦ ପଡ଼ିଗଲା । ଏବେ ଏହି କେନ୍ଦ୍ରରେ ତାଲା ଝୁଲୁଛି । ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉଛି । ଏହି ମେସନଗୁଡିକ ପୁଣି ଚାଲିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରତିବର୍ଷ ବଣ୍ଡା ଯୁବକ ଯୁବତୀ ଦାଦନ ଖଟିବାକୁ ଆନ୍ଧ୍ର, ତାମିଲନାଡୁ ସହ ବାହାର ରାଜ୍ୟକୁ ଯାଉଥିବାରୁ ଏଠାରେ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ସେମାନଙ୍କୁ ଥଇଥାନ କରିବାର ଯୋଜନା ସରକାର କରିଥିଲେ । ମାଲକାନଗିରି ଆଇଟିଡିଏ ତରଫରୁ ଏଠାରେ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ଖୋଲାଗଲା । ବଣ୍ଡା ଉନ୍ନୟନ ସଂସ୍ଥା ଏହାର ଦେଖାରେଖା କରିବା ପାଇଁ ନିର୍ଦେଶ ଦିଆଯିବା ସହ ଓଡିଶା ଜୀବିକା ମିଶନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇ କାଜୁ ଖରିଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା ।

ପ୍ରକାଶ ଥାଉକି, ଖଇରପୁଟ ଅଂଚଳ କାଜୁ ଉତ୍ପାଦନରେ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି । ଏହି ଅଂଚଳର ଶହ ଶହ କ୍ୱିଂଟାଲ କାଜୁ ପ୍ରତିବର୍ଷ ବାହାର ଜିଲ୍ଲା ସମେତ ରାଜ୍ୟକୁ ଚାଲାଣ ହେଉଥିଲା । ଏହି ଅଂଚଳର ଆଦିବାସୀ ଏହାର ପ୍ରକୃତ ମୂଲ୍ୟ ଜାଣିନପାରି ଅତି ଶସ୍ତାରେ ଏହାକୁ ବିକ୍ରି କରିଦେଉଥିଲେ । ଦଲାଲଙ୍କ ହାବୁଡରେ ପଡ଼ି ଠକାମୀର ଶିକାର ହେଉଥିଲେ । ତେବେ ବଣ୍ଡା ଉନ୍ନୟନ ସଂସ୍ଥା ଓ ଡିଡାୟୀ ଉନ୍ନୟନ ସଂସ୍ଥା ତରଫରୁ କଂଚା କାଜୁ ଏହି କେନ୍ଦ୍ରକୁ ଯୋଗାଇ ଦିଆଯିବା ସହ ଏହାର ଲାଭାଂଶ ଚାଷୀଙ୍କୁ ପ୍ରଦାନ ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ପାଇବେ । କେବଳ ୧୦ ପ୍ରତିଶତ ଏହି ପ୍ରକ୍ରିୟାକରଣ କେନ୍ଦ୍ରର ଦେଖାରେଖା ପାଇଁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ତେବେ ଦୀର୍ଘ ବର୍ଷ ଧରି ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ବନ୍ଦ ପଡିଥିବାରୁ ପ୍ରଥମତଃ ବଣ୍ଡା ମହିଳାଙ୍କ ରୋଜଗାର ବନ୍ଦ ହେଲା ଏବଂ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ବର୍ତମାନ ଭୂତକୋଠି ପାଲଟିଛି । ପୁନଶ୍ଚ ଏହି କେନ୍ଦ୍ର ଆରମ୍ଭ ହେଲେ ବହୁ ବଣ୍ଡା ଯୁବକଯୁବତୀ ରୋଜଗାର ପାଇବା ସହ ଏହି ଅଂଚଳର କାଜୁ ଚାଷୀ ମଧ୍ୟ ଲାଭବାନ ହେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande