ସୁବର୍ଣ୍ଣପୁର, ୨୧ ଜୁନ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ପେକ୍ସରେ ଧାନକିଣାରେ ଅବ୍ୟବସ୍ଥା ଦେଖାଦେଇଛି । ମିଲର୍ସଙ୍କ ମନମାନୀ କାରଣରୁ ପେକ୍ସରୁ ଧାନ ଉଠିପାରୁନାହିଁ ଓ ପ୍ରାୟ ୪ ହଜାର ବସ୍ତା ଧାନ ପଡିରହିଛି । ପେକ୍ସ ପକ୍ଷରୁ ଏହି ପେକ୍ସକୁ ଟେଗ କରାଯାଇଥିବା ଶୀତଲ ଏଗ୍ରୋ ଓ ଲଲିତା ରାଇସମିଲର ମାଲିକଙ୍କୁ ଯେତେ ଫୋନ କଲେ ମଧ୍ୟ ସେ ଧାନ ଉଠାଇବାକୁ ଟ୍ରକ ପଠାଉନଥିବା ଅଭିଯୋଗ ହୋଇଛି । ଏନେଇ ପେକ୍ସର ସଭାପତି ରାଜେନ୍ଦ୍ର ପଣ୍ଡା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।
ଖବର ନେବାରୁ ଜଣାପଡିଛି ଯେ, ଦେଉଳପଦର ପେକ୍ସରେ ଚଳିତ ରବିଋତୁରେ ୩୫୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଥିଲା । ସେଥିରୁ ଆଉ ୧୬୨ କ୍ୱିଣ୍ଟାଲ ବାକି ରହିଛି । କିନ୍ତୁ, ସେପଟେ ନିକଟସ୍ଥ ପୁଆ ପେକ୍ସରେ ଭିତ୍ତିଭୂମୀ ନଥିବାରୁ ସେହି ପେକ୍ସର ଚାଷିମାନେ ଦେଉଳପଦର ପେକ୍ସରେ ଧାନ ବିକ୍ରୀ କରିବାକୁ ନିର୍ଦ୍ଦେଶ ହୋଇଛି । ପୁଆ ପେକ୍ସକୁ ଚଳିତ ରବିରେ ୧୧,୦୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି । ପୁଆ ପେକ୍ସର ଚାଷିମାନେ ଦେଉଳପଦର ପେକ୍ସରେ ଆସି ଧାନ ଦେଇଛନ୍ତି । ଏବେ ପ୍ରାୟ ୪୦୦୦ ବସ୍ତା ଧାନ ପେକ୍ସରେ ପଡିରହିଥିବା ଜଣାପଡିଛି । ଗତ ତିନିଦିନ ହେଲା ମିଲର୍ସ ଗାଡି ପଠାଉନାହାଁନ୍ତି । ତେଣୁ ଧାନ ଉଠିପାରୁନାହିଁ କି ଅନ୍ୟ ଚାଷୀ ମାନଙ୍କର ଧାନ ବିକ୍ରୀ ହୋଇପାରୁନାହିଁ । ମିଲର୍ସଙ୍କ ଏଭଳି ମନମାନୀକୁ ନେଇ ଚାଷି ମହଲରେ ଅସନ୍ତୋଷ ଦେଖାଦେଇଛି । ମିଲର୍ସଙ୍କ ଏଭଳି ମନମାନୀକୁ ନେଇ ଦେଉଳପଦର ପେକ୍ସର ସଭାପତି ରାଜେନ୍ଦ୍ର ପଣ୍ଡା ସୋନପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଏନେଇ ଲଲୀତା ରାଇସମିଲର ମାଲିକ ମନୀଷ ଅଗ୍ରୱାଲଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ରିସିଭ କରିନଥିଲେ । ସୋନପୁର ଯୋଗାଣଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ଓ ମିଲର୍ସଙ୍କ ସେକ୍ୟୁରିଟି ଡିପୋଜିଟରେ ସମସ୍ୟା ଥିବାରୁ ସେ ଧାନ ଉଠାଉନଥିବା କହିଛନ୍ତି। ତେବେ ଖୁବ ଶୀଘ୍ର ଧାନ ଉଠାଯିବ ବୋଲି ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି । ସୋନପୁର ଜିଲ୍ଲାର କେବଳ ଦେଉଳପଦର ପେକ୍ସ ନୁହଁ ବିନିକା ମଣ୍ଡିରେ ମଧ୍ୟ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଥିବା ଜଣାପଡିଛି । କେତେକ ମିଲର୍ସ ଛତିଶଗଡରୁ ଧାନ କମ ଦରରେ ଆଣି ମିଲରେ ଭର୍ତି କରି ରଖିଥିବା କାରଣରୁ ନିଜ ଜିଲ୍ଲାର ଧାନ ଉଠାଇବାରେ ସମସ୍ୟା ଦେଖାଦେଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟା ଉପରେ ଧ୍ୟାନ ଦେବାକୁ ଚାଷିମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ