ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଗଂଜାମ, ୨୧ ଜୁନ୍ (ହି.ସ.) - ୨୧.୦୬.୨୦୨୫ ରିଖ ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଶନିବାର ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବାଣିଜ୍ୟ ,ପରିବହନ ଓ ଇସ୍ପାତ ,ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଗଂଜାମ, ୨୧ ଜୁନ୍ (ହି.ସ.) - ୨୧.୦୬.୨୦୨୫ ରିଖ ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଶନିବାର ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବାଣିଜ୍ୟ ,ପରିବହନ ଓ ଇସ୍ପାତ ,ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପସ୍ଥିତ ବୁଦ୍ଧିଜୀବୀ, ଯୁବକ ଯୁବତୀ ମାନଙ୍କୁ ନିଜ ବକ୍ତବ୍ୟରେ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇ କହିଥିଲେ ଯେ, ଏହି ଦିନଟି କେବଳ ଏକ ଆନ୍ତର୍ଜାତୀୟ ଉତ୍ସବ ନୁହେଁ, ବରଂ ଏହା ହେଉଛି ଆମ ପାରମ୍ପରିକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସାଧନା ପ୍ରତି ଗୋଟିଏ ବିଶ୍ୱ ପରିଚୟ । ଯୋଗ ମହାନ ଭାରତୀୟ ଐତିହ୍ୟର ଏକ ଅମୂଲ୍ୟ ଦାନ, ଆଜି ଯାହା ସାରା ବିଶ୍ୱରେ ଲୋକମାନେ ଅନୁସରଣ କରୁଛନ୍ତି । ୨୦୧୪ ମସିହାରେ ଆମର ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ସଂଯୁକ୍ତ ଜାତିସଂଘରେ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ। ତାଙ୍କର ଦୃଢ ନେତୃତ୍ୱରେ ୧୯୪ ଗୋଟି ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଓ ଜୁନ ୨୧ ତାରିଖକୁ “ଆନ୍ତର୍ଜାତୀୟ ଯୋଗ ଦିବସ” ଭାବେ ଘୋଷଣା କରଯାଇଥିଲା । ସେଠାରେ ରେକର୍ଡ ସଂଖ୍ୟକ ବିଶ୍ୱର ଅନ୍ୟ ଦେଶ ସହମତି ଜଣାଇଥିଲେ । ସେହଦିନଠାରୁ ସାରା ବିଶ୍ୱ ପାଳନ କରୁଛନ୍ତି ବିଶ୍ୱ ଯୋଗ ଦିବସ । ଏହା ଏକ ମହାନ୍ କାର୍ଯ୍ୟ, ଏଥି ସକାଶେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାରା ବିଶ୍ୱ ସମ୍ମାନର ସହ ଆଦର କରନ୍ତି । ଏଥିଯୋଗୁଁ ଆମେ ଗର୍ବ ଅନୁଭବ କରିବା କଥା । ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ ୟୁଜ୍‌ ରୁ ଆସିଛି, ଯାହାର ଅର୍ଥ ହେଉଛି ଏକତା ବା ଯୁଗଳତା । ଏହା ମନ, ଶରୀର ଓ ଆତ୍ମା ମଧ୍ୟରେ ସଂଯୋଗର ପ୍ରତୀକ । ଏହା କେବଳ ଶାରୀରିକ ବ୍ୟାୟାମ ନୁହେଁ; ବରଂ ଏହା ଜୀବନର ଏକ ସାମଗ୍ରିକ ପଦ୍ଧତି – ଯାହା ସହନଶୀଳତା, ଆନ୍ତରିକ ଶାନ୍ତି ଓ ସନ୍ତୁଳନକୁ ପ୍ରୋତ୍ସାହିତ କରେ । ଯୋଗ କେବଳ ଆସନ ଓ ବ୍ୟାୟାମ ନୁହେଁ । ଏହା ସରଳ ଜୀବନ ଯାପନର ଏକ ଶିଳ୍ପ, ଏକ ଅନୁଶାସନ ଓ ଏକ ଦୃଷ୍ଟିଭଙ୍ଗୀ । ଯେଉଁଠାରେ ଶରୀର, ମନ, ଏବଂ ଆତ୍ମାର ସମନ୍ୱୟ ଘଟେ- ତାହାକୁ ଯୋଗ କୁହାଯାଏ ।

ଯୋଗରେ ଅନେକ ଲାଭ ରହିଛି । ଶାରୀରିକ ଭାବରେ ଏହା ଶରୀରର କାର୍ଯ୍ୟ ଦକ୍ଷତା ଶକ୍ତି ବୃଦ୍ଧି କରିବା ସହ ସନ୍ତୁଳନ ରକ୍ଷା କରେ । ଏହା ସହିତ ଆତଙ୍କ, ଚିନ୍ତା ଓ ଉଦାସୀନତାକୁ କମ କରିବାରେ ସାହାଯ୍ୟ କରେ । ମାନସିକ ଭାବେ ଏହା ଜ୍ଞାନ,ଏକାଗ୍ରତା ଓ ଭାବନାତ୍ମକ ସ୍ଥିରତା ବୃଦ୍ଧି କରେ । ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ଯୋଗ ଆମକୁ ଶାନ୍ତି ଓ ଶିଥିଳତା ଦେଇଥାଏ । ଯୋଗ ଏଭଳି ଏକ ମାର୍ଗ ଯାହା ମଣିଷକୁ ମଣିଷ ଭଳି ଚାଲିବା ମାର୍ଗ ଦେଖାଏ । କାରଣ ମଣିଷ ଭିତରେ ଥିବା ପଶୁ ପ୍ରବୃତି,କୁସଂସ୍କାର , କୁପ୍ରବୃତିର ନିରାକରଣ କରେ । ଆମେ ଅତି ମାନବ ଓ ମହା ମାନବ ଦିଗକୁ ଗତି କରିବା । ସେଥି ନିମନ୍ତେ ଭଗବାନ ଆମକୁ ଜନ୍ମ ଦେଇଛନ୍ତି । ସବୁଠାରୁ ଆମେ ଉର୍ଦ୍ଧ୍ୱରେ, ଆମେ ହେଉଛୁ ମଣିଷ କର୍ମକୁ ମଣିଷ ଆଧାର କରି ମଣିଷ ଭଳି ବଂଚିବା ପାଇଁ ଯାହା ପ୍ରକୃଷ୍ଟ ମାର୍ଗ ଯୋଗ ଆମକୁ ସେସବୁ ଶିଖାଇ ଦିବ୍ୟତା ଆଡକୁ ଗତି କରିବାର ପଥ ପରିଷ୍କାର କରେ ।

ଚଳିତ ବର୍ଷର ବିଷୟବସ୍ତୁ ରଖାଯାଇଛି “ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ “ଏହା ବିଶ୍ୱର ସମସ୍ତ ଜୀବଜଗତର ଏକତା ଓ ସ୍ୱାସ୍ଥ୍ୟ ଜନିତ ପୃଥିବୀର ଆବଶ୍ୟକତା ଉପରେ ଜୋର ଦେଇଥାଏ । ସୁସ୍ଥ ପୃଥିବୀ ବିନା ସୁସ୍ଥ ଲୋକ ସମୁଦାୟ ସମ୍ଭବ ନୁହେଁ । ଏହି ଯୋଗ ପ୍ରକ୍ରିୟାକୁ ସବୁଦିନ ଅଭ୍ୟାସ କରି ନିଜ ଜୀବନ ଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଯୋଗ ନିମନ୍ତେ କେବଳ ଆଜି ଦିନ ନୁହେଁ, ପ୍ରତିଦିନ ଅଳ୍ପ ସମୟ ଚାଲନ୍ତୁ । ଆମେ ସମସ୍ତେ ଏହି ଯୋଗ ଦିବସ ଅବସରରେ ନବ ସଙ୍କଳ୍ପ ନେବା- ନିଜ ଜୀବନରେ ଯୋଗକୁ ସ୍ଥାନ ଦେବା ଓ ଅନ୍ୟମାନଙ୍କୁ ମଧ୍ୟ ଏଥି ସକାଶେ ପ୍ରେରଣା ଯୋଗାଇବା ।

ଏହି ଯୋଗ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ପ୍ରମୁଖ ମଂଚାସୀନ ଥିବା ବେଳେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥଲେ। ସୁନିତା ପାତ୍ର, କ୍ରୀଡାବିତ, ସନ୍ତୋଷ ପଲେଇ, କ୍ରୀଡାବିତ ପ୍ରଶିକ୍ଷକ ଦ୍ୱୟ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande