ସମ୍ବଲପୁର, ୨୨ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଚାଲିଥିବା ୧୭ ଦିନିଆ ନିଶୁଲ୍କ କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଆମେଚର କିକ ବକ୍ସିଂ ଆସୋସିଏସନ ଅଫ ଓଡିଶାର ରାଜ୍ୟ ସଭାପତି କାର୍ତିକ ଡାକୁଆଙ୍କର ମାର୍ଗଦର୍ଶନରେ ଜିଲା କିକ୍ ବକ୍ସିଂ ଆସୋସିଏସନ ସମ୍ବଲପୁରର ସଭାପତି ଉତ୍ପଲ ଦାସଙ୍କ ତତ୍ୱାବଧାନରେ ଏହି ନିଶୁଲ୍କ କିକ ବକ୍ସିଂ ପ୍ରଶିକ୍ଷଣ ଆୟୋଜନ କରାଯାଉଥିଲା । ଏଥିରେ ଆଖପାଖ ବସ୍ତି ଅଂଚଳର ୨୦ ଜଣଙ୍କୁ ୧୭ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ କିକବକ୍ସିଂ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ଆସୋସିଏସନର ଜିଲା ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜିଲା ଓକିଲ ସଂଘର ପୁର୍ବତନ ସଭାପତି ଡ. ପ୍ରମୋଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ଆଇଆଇଏମ ସମ୍ବଲପୁରର ସିଏଫଓ ସୁବୋଧ କୁମାର ଦୋରା, ପଶ୍ଚିମାଂଚଲ ଏକତା ମଂଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ଭାରତୀ ସମାଜର ଜିଲା ସଂଯୋଜକ କିଶୋର ଧରେଇ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ନେଇଥିବା ପିଲା ମାନେ ପ୍ରଥମେ ନିଜର ୧୭ ଦିନର ପ୍ରଶିକ୍ଷଣ ଓ ଅଭିଜ୍ଞତା ବିଷୟରେ କହିବା ସହ ଶିଖଥିବା କଳା ପ୍ରଦର୍ଶନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଡ. ରଥ ଆଗକୁ ଏହି ଆତ୍ମରକ୍ଷା କଳାକୁ ଅଧିକ ପ୍ରଶିକ୍ଷଣ ନେଇ ପ୍ରତିଯୋଗିତାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ସୁବୋଧ ଦୋରା ନିଷ୍ଠାପର ଭାବେ ପ୍ରଶିକ୍ଷଣ ନେବା ପରେ ହୋଇପାରିଥିବା ପରିବର୍ତନକୁ ପ୍ରଶଂସା କରିଥିଲେ । ସେହିପରି ଶ୍ରୀ ବକ୍ସୀ ପ୍ରଶିକ୍ଷାର୍ଥୀ ମାନେ ସତର ଦିନ ଭିତରେ ଶିଖିଥିବା ଶୃଙ୍ଖଳା ଏବଂ ଆତ୍ମରକ୍ଷା କୌଶଳ ଜୀବନରେ ନିଶ୍ଚିତ ଭାବେ ଉପଯୋଗ ହେବ ବୋଲି କହିଥିଲେ । ଏହି ଅବସରରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜାତୀୟ ସ୍ତରର ମାନ୍ୟତା ପ୍ରାପ୍ତ କିକ୍ ବକ୍ସିଂ ରେଫରି ସୁବ୍ରତ ପ୍ରଧାନ ସତର ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରିଥବାରୁ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଯେଉଁ ଛାତ୍ରୀଛାତ୍ର ମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ଆଗକୁ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଏସୋସିଏସନସନର ସମ୍ବଲପୁୂର ସଭାପତି ଶ୍ରୀ ଦାସ କହିଥିଲେ । ଏହାସହ ସମ୍ବଲପୁରୀ ଡେରା ପରିସରରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଇ ଥିବାରୁ ଶ୍ରୀ ଦାସ ପଶ୍ଚିମାଂଚଳ ଏକତା ମଂଚକୁ ଧନ୍ୟବାଦ ଦେଇଥିଲେ । ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନରେ ସର୍ମିଲ ସାହୁ, ଶିବାଂଶୀ ତ୍ରୀପାଠୀ, ଶ୍ରୀୟାଂଶୀ ତ୍ରିପାଠୀ,ସୋମ୍ୟ ଶାଶ୍ୱତ ଭୋଇ. ସଂସ୍କାର ବାଗ, ସୁଭମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ