ଭୁବନେଶ୍ୱର, 22 ଜୁନ୍ (ହି.ସ.) ପ୍ରସିଦ୍ଧ ବାଗେଶ୍ୱର ଧାମ ପୀଠାଧୀଶ୍ୱର ବାବା ଧୀରେନ୍ଦ୍ର ନାଥ ଶାସ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏକ ଏତିହାସିକ ଓ ଭବ୍ୟ 'ସନାତନ ହିନ୍ଦୁ ଏକତା ପଦଯାତ୍ରା' ଆୟୋଜିତ ହୋଇଥିଲା। ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ରାମ ମନ୍ଦିରରେ ସମାପନ ହୋଇଥିଲା। ଏହି ଐତିହାସିକ ପଦଯାତ୍ରାରେ ଶତାଧିକ ଭକ୍ତ ଓ ଅନ୍ୟ ହିନ୍ଦୁ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରି ଏକ ପ୍ରଭାବୀ ମନୋମୋହକ ଦୃଶ୍ୟ ସୃଷ୍ଟି କରିଥିଲେ।
ଏହି ପଦଯାତ୍ରା ମାଧ୍ୟମରେ ସଂଘବଦ୍ଧ ଭାବେ ଦାବି ହୋଇଥିଲା ଯେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏବଂ ଏହି ଦେଶର ମୂଳ ପରିଚୟ ସନାତନ ହିନ୍ଦୁ ଧର୍ମର ଐତିହ୍ୟ ଓ ସଂସ୍କୃତିକୁ ରାଷ୍ଟ୍ରୀୟ ସ୍ୱୀକୃତି ଦେବାର ସମୟ ଆସିଯାଇଛି। ସନାତନ ଧର୍ମ ହିଁ ଭାରତର ମୂଳ ଆଧାରଶିଳା ଏବଂ ଆଧ୍ୟାତ୍ମିକ ଆଦର୍ଶ, ଯାହା ଜନମାନସରେ ନୈତିକତା, ଆଶା ଓ ଏକତାର ଦୀପ ପ୍ରଜ୍ୱଳିତ କରେ। ଏହି ପଦଯାତ୍ରା ଦ୍ୱାରା ଆହ୍ୱାନ ଦିଆଯାଇଛି ଯେ ଏହି ଦେଶର ଗରିମା, ସଂସ୍କୃତି ଓ ଧର୍ମୀୟ ଚିହ୍ନକୁ ରକ୍ଷା କରିବା ଏବଂ ଭାରତକୁ ଏକ ଅଧିକ ଗୌରବମୟ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ସରକାର ଅବିଳମ୍ବେ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ପଦଯାତ୍ରାର ଅନ୍ତିମ ସ୍ଥଳୀ ରାମ ମନ୍ଦିର ସମ୍ମୁଖରେ ଅନେକ ସଂଗଠନ ଓ ଧାର୍ମିକ ନେତାଙ୍କ ଉପସ୍ଥିତିରେ ଭବ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମର ଆବାହକ ଦେବାଶିଷ ନାୟକ ଏହି ଆନ୍ଦୋଳନକୁ ଭବିଷ୍ୟତରେ ଜନ ଆନ୍ଦୋଳନର ରୂପ ଦେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଓଡ଼ିଶା ମୁଖ୍ୟ ଜେନେରାଲ୍ ଦୀନବନ୍ଧୁ ଷଡ଼ଙ୍ଗୀ ସାରା ବିଶ୍ବରେ ହିନ୍ଦୁ ଧର୍ମର ଐତିହ୍ୟ ଓ ସସ୍କୃତିର ସୁରକ୍ଷା ସହ ସନାତନୀ ହିନ୍ଦୁ ମାନଙ୍କର ସୁରକ୍ଷା ନିମନ୍ତେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ନିକଟରେ ବାଂଲାଦେଶର ହିନ୍ଦୁମାନଙ୍କ ଗଣହତ୍ୟା ବେଳେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରାଯାଇନଥିବା କ୍ଷୋଭର ବାତାବରଣ ସୃଷ୍ଟି କରିଥିଲା । ଏଥିପାଇଁ ସମ୍ବିଧାନର ସିକୁଲାର୍ ଶବ୍ଦ ହିଁ ସମସ୍ୟା କରିଥିଲା ବୋଲି ସେ ଅଭିଯୋଗ କରିଥିଲେ । ରାଷ୍ଟ୍ରୀୟ ହିନ୍ଦୁ ମହାସଙ୍ଘ, ଓଡ଼ିଶା ପକ୍ଷରୁ ପଣ୍ଡିତ ବିଶ୍ୱେଶ୍ୱର ପାଣିଗ୍ରାହୀ ଏହି ବିଶାଳ ସମାବେଶର ସମର୍ଥନ କରିବା ସହ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ପାଇଁ ନିଜ ସଂଗଠନ ପକ୍ଷରୁ ସମର୍ଥନ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବସେନା ପକ୍ଷରୁ ଓଡ଼ିଶା ଯୁବ ଅଧ୍ୟକ୍ଷ ସୁଶୀଲ କୁମାର ବେହେରା, ସନାତନୀ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ପ୍ରଦ୍ୟୁମ୍ନ ଦାଶ, ସନ୍ତୋଷ କୁମାର ଭୋଳ, ରାଜୀବ ମିଶ୍ର , ଭୂପେଶ ନାୟକ, ସୌରଭ କର, ଅମରେନ୍ଦ୍ର ପ୍ରସାଦ ସାହୁ, ଉଜ୍ଜଳ ପଣ୍ଡା, ଜଗନ୍ ପାତ୍ର, ସୁଦର୍ଶନ ବିଶ୍ଵାଳଙ୍କ ସମେତ ଅନେକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ