ଚମ୍ପୁଆ, ୨୨ ଜୁନ୍(ହି.ସ.) – ଦୀର୍ଘ ୧୪ ବର୍ଷ ଧରି ନିର୍ମାଣାଧୀନ ଅବସ୍ଥାରେ ଥିବା ରିମୁଳି - ଇଚିଣ୍ଡା ଅରଡେଇ ପୋଲ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପୋଲର ଆପ୍ରୋଚ୍ ରୋଡ ପାଇଁ ଆଜି ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ରିମୁଳି ୟୁପି ସ୍କୁଲରେ ଏକ ଗ୍ରାମସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ରିମୁଳି ଗ୍ରାମବାସୀ ଓ ପୋଲର ଆପ୍ରୋଚ ରୋଡ ପାଇଁ ଜମି ହରାଉଥିବା ବ୍ୟକ୍ତିମାନଙ୍କୁ ନେଇ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ଆପ୍ରୋଚ ରୋଡ ପାଇଁ ଲାଗି ରହିଥିବା ଜମି ସମସ୍ୟାର ସମାଧାନ ନେଇ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ କି ୨୦୧୧ରୁ ଆରମ୍ଭ ହୋଇଥିବା ଏହି ପୋଲର ନିର୍ମାଣ ସରିବା ପାଇଁ ତିନି ବର୍ଷ ଅବଧି ଥିବାବେଳେ ବିଭାଗୀୟ ଆନ୍ତରିକତା ଓ ଅପାରଗତା ପାଇଁ ଦୀର୍ଘ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲଟି ଅଧାପନ୍ତରିଆ ଅବସ୍ଥାରେ ପଡିଛି। ପୋଲ ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ଅଳ୍ପ କିଛି କାମ ବାକି ରହିଛି। ତେବେ ପୋଲର ଆପ୍ରୋଚ ରୋଡ ନିର୍ମାଣ ହୋଇ ପାରୁ ନ ଥିବାରୁ ପୋଲଟି ଲୋକଙ୍କ କାର୍ଯ୍ୟରେ ଆସି ପାରୁନଥିଲା। ଆପ୍ରୋଚ ରୋଡର କିଛି ଅଂଶ ଲୋକଙ୍କ ବ୍ୟକ୍ତିଗତ ଜମି ଉପରେ ଯାଉଥିବାରୁ ଜମି ଅଧିଗ୍ରହଣ ନେଇ ଆପ୍ରୋଚ ରୋଡ କାମ ଅଟକି ରହିଥିଲା। ଏହି ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ଚମ୍ପୁଆ ଉପଖଣ୍ଡର ୨୫ଟି ପଂଚାୟତର ଲକ୍ଷାଧିକ ଲୋକେ ନାହିଁ ନ ଥିବା ହଇରାଣ ହେଉଥିଲେ। ତେବେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ପୋଲ କାମ ସମ୍ପୂର୍ଣ୍ଣ ହେବା ନେଇ ଆଶା ସୃଷ୍ଟି ହୋଇଛି। ଆଜିର ଏହି ସଭାରେ ଚମ୍ପୁଆ ତହସିଲଦାର ସଜତ ମାର୍କି, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ, ରିମୁଳି ରାଜସ୍ୱ ନୀରିକ୍ଷକ ରାମେଶ୍ୱର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଠାରୁ ଠିକା ସଂସ୍ଥା ଦ୍ୱାରା ଆଫ୍ରୋଚ ରୋଡରେ ମାଟି ପକା କାର୍ଯ୍ୟ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଓ ପୋଲ ନିର୍ମାଣକାରୀ ଠିକା ସଂସ୍ଥାକୁ ଅତି ଶୀଘ୍ର ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta