ମାଲକାନଗିରି, ୨୨ ଜୁନ୍ (ହି.ସ.)-
ମାଲକାନଗିରି ଜିଲ୍ଲା ଅଦାଲତ ପରିସରରେ ଗତକାଲି ଜିଲ୍ଲା ଆଇନିସେବା ପ୍ରାଧିକରଣ ଆନୁକୁଲ୍ୟରେ ଓ ଜିଲ୍ଲା ଦୌରା ଜଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଏଵଂ ଜିଲ୍ଲା ଆଇନିସବା ପ୍ରାଧିକରଣ ସଚିବ ସୁଶ୍ରୀ ସଂଗୀତା ପାତ୍ରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ସମସ୍ତ ବିଚାରପତି, ସମସ୍ତ କର୍ମଚାରୀ, ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ଓ ସଦସ୍ୟ ଗଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ବିଚାରପତି ଡକ୍ଟର ପ୍ରସନ୍ନ କୁମାର ପଣ୍ଡା ଯୋଗର ଉପଯୋଗୀତା ଏହାର ସ୍ବାସ୍ଥ୍ୟ ଉପରେ ହେଉଥିବା ଉପକାର ସମ୍ପର୍କରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରି ସମସ୍ତଙ୍କୁ ଯୋଗ ମାଧ୍ୟମରେ ସୁସ୍ଥ ସ୍ବାସ୍ଥ୍ୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଯୋଗ ଗୁରୁ ନିରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ଵାରା ଉପଲବ୍ଧ ବିଭିନ୍ନ ପ୍ରକାରର ଉପକାର ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଅଭ୍ୟାସ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶାନ୍ତନୁ କୁମାର ଦାଶ, ମହିଳା ଅଦାଲତ ବିଚାରପତି ବବିତା ଦାସ, ଜିଲ୍ଲା ଅଦାଲତର ରେଜିଷ୍ଟ୍ରାର କୈଳାସ ସାହୁ, ବରିଷ୍ଠ ଦେୱାନି ବିଚାରପତି ସନ୍ତୋଷ କୁମାର ଅଗ୍ରୱାଲ, ଉପଖଣ୍ଡିୟ ଦଣ୍ଡାଧିକାରି ପ୍ରତିମା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଜିଲ୍ଲା କାରାଗାରରେ ଓ ସ୍ଥାନୀୟ ପରିବର୍ତ୍ତନ ଶିଶୁ ଗୃହରେ ମଧ୍ୟ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ଏମ ଭି -୭୯, ମାଥିଲି, କୁଡୁମୁଲୁଗୁମା ଅଦାଲତ ପରିସରରେ ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ