ମାଲକାନଗିରି, ୨୨ ଜୁନ୍ (ହି.ସ.) - ମାଲକାନଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ୧୯ ଟି ଗ୍ରାମ ପଂଚାୟତ ର ପଂଚାୟତ କମିଟି ଓ ବ୍ଲକ କମିଟି କର୍ମକର୍ତାଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ସଦର ବ୍ଲକ ଥାପାଗୁଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ମାଲକାନଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ବ୍ଲକ ସଭାପତି ସର୍ବ କୁମାର ବିଶୋଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ନବ ନିଯୁକ୍ତ ସମସ୍ତ ପଂଚାୟତ କମିଟି କର୍ମକର୍ତା ଓ ବ୍ଲକ କମିଟି କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ଥାପାଗୁଡା ଶିବ ମନ୍ଦିର ମହାପ୍ରଭୁ ଶ୍ରୀ କୁଣ୍ଡଳେଶ୍ୱରଙ୍କ ନିକଟରେ କୋଟି ଓଡ଼ିଆଙ୍କ ପ୍ରିୟ ଜନନେତା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ସାଙ୍ଗକୁ ପ୍ରାର୍ଥନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ଉପସ୍ଥିତ ରହି ନବ ନିଯୁକ୍ତ ପଂଚାୟତ ଓ ବ୍ଲକ କମିଟି କିଭଳି ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଯାଇ ବିଜୁ ଜନତା ଦଳ କୁ ମଜବୁତ୍ କରିବା ସହ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବୁଝାଇଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ମାଲକାନଗିରି ପୌର ଉପାଧ୍ୟକ୍ଷା କବିତା ମହନ୍ତ , ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବରିଷ୍ଠ ବିଜେଡି ନେତା ଘନଶ୍ୟାମ ମାଡକାମୀ ,ବରିଷ୍ଠ ନେତା ଡମ୍ବରୁ ବାଘ , ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ବରିଷ୍ଠ ନେତା ସହଦେବ ମୁଦୁଲି, ଯୁବ ନେତା ଗାନ୍ଧୀ ପଣ୍ଡା, ଯୁବ ନେତା ତଥା ସରପଂଚ ସୁଦର୍ଶନ କୋପେ ଙ୍କ ସହିତ ୧୯ଟି ଗ୍ରାମ ପଂଚାୟତ ର ସମସ୍ତ ପଂଚାୟତ କମିଟି ଓ ବ୍ଲକ କମିଟି କର୍ମକର୍ତାଙ୍କ ସହିତ ବିଜୁ ଜନତା ଦଳର ସମସ୍ତ ସକ୍ରିୟ କର୍ମକର୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ