ପୁରୀ, ୨୨ ଜୁନ (ହି.ସ.)- ଟାଉନହଲ ଠାରେ ରବିବାର ପୂର୍ବାହ୍ନରେ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା, ସୁଖଦ ଦର୍ଶନ ଓ ଅଘଟଣ ଶୂନ୍ଯ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ । ଟାଉନହଲ ଟି ମିନି ବିଧାନସଭା ପରି ଜଣାପଡୁଥିଲା । ଦୁଇଜଣ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।
ଦିଅଁ ନାହାନ୍ତି ଦୀପ ଜଳିଲା - ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଟାଉନହଲରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ମହାପ୍ରଭୁ ଜ୍ଵରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରିପାରୁ ନାହାନ୍ତି । ଟାଉନହଲରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଷ୍ଟେଜର ବାମ ପାର୍ଶ୍ବରେ ଦେଖିବାକୁ ମିଳିନଥିଲା । ପିତ୍ତଳ ବଡ ଷ୍ଟାଣ୍ଡ ଦୀପରେ କେବଳ ଦୀପ ଜଳିଥିଲା । ଏହାକୁ ଦେଖି ସଭ୍ଯ ମାନେ ବାମ ପଟୁକୁ ଚାହୁଁଥିବା ପରିଲିକ୍ଷିତ ହୋଇଥିଲା ।
ସେବାୟତଙ୍କ ପାଇଁ ସିଟ ଅଭାବ- ଶ୍ରୀମନ୍ଦିରର ନୀତିକାନ୍ତ ସେବାୟତ ମାନେ ପାଳନ କରୁଥିବା ବେଳେ ସେମାନଙ୍କ ଯୋଗୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେଉଛି । ରଥଯାତ୍ରା ବୈଠକରେ ପ୍ରଶାସନିକ ଅଧିକାରୀ, ମଠାଧୀଶ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେବାୟତ ମାନେ ଯୋଗ ଯୋଗଦେଇ ବୈଠକରେ ଆଲୋଚନା କରିଥାନ୍ତି । ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ହୋହାଲ୍ଲା ଶୁଣିବାକୁ ମିଳିଥିଲା । ଏହି ସମୟରେ ଜଣେ ସେବାୟତ ସିଟ ନଥିବା କହି ହୋହାଲ୍ଲା କରିଥିଲେ । ଯାହାଫଳରେ ଅନ୍ଯ ସେବାୟତ ମାନେ ବୈଠକ ବର୍ଜନ ପାଇଁ ହୋହାଲ୍ଲା କରିବାରୁ ମନ୍ତ୍ରୀ ଓ ସାଂସଦ ମାନେ ବୁଝାସୁଝା କରିବାରେ ସେବାୟତ ମାନେ ବସିଥିଲେ ।
ଦମ ଦେଖାଇଲେ ଦାମ- ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଭକ୍ତଙ୍କ ଦର୍ଶନ ଓ ଅଭାବ ଅସୁବିଧା ସମ୍ପର୍କରେ ସଦାବେଳେ ପ୍ରଶାସନ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ନଥିବାରୁ କିପରି ରଥଯାତ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ମତ ଦେଇଥିଲେ । ପରିଚାଳନା କମିଟି ବିନା ଗୋଟିଏ ଟଙ୍କା ଖର୍ଚ୍ଚ କରିପାରିବ ନାହିଁ ବୋଲି ଆଇନଗତ ନିର୍ଦ୍ଦେଶ ରହିଛି । ବିନା ପରିଚାଳନା କମିଟିରେ ଏହା ପ୍ରଥମ ରଥଯାତ୍ରା ବୋଲି ମତ ଦେଇଥିଲେ । ପରିଚାଳନା କମିଟି ନାହିଁ । ପ୍ରଶାସନ ମନଇଚ୍ଛା କାର୍ଯ୍ୟ କରୁଛି । ସେବାୟତ କଣ ସବୁ ମୁଲିଆ ବୋଲି ବୈଠକରେ ପ୍ରଶ୍ନ କରିଥିଲେ ।
ଗଣମାଧ୍ୟମକୁ ବାଟବଣା ଉଦ୍ଯମ- ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ରଥଯାତ୍ରା ସମନ୍ଵୟ ବୈଠକରେ ସାମ୍ବାଦିକ ଓ ସେବାୟତଙ୍କ ମଧ୍ଯରେ କଥା କଟାକଟିକୁ ନେଇ ସାମ୍ବାଦିକ ମାନେ ଗୃହତ୍ୟାଗ କରିବା ଉଦ୍ଯମ କରିଥିଲେ । ଗତଥର ବୈଠକକୁ ନଜର ରଖି ପ୍ରଶାସନ ଏକ ନୂଆ ଯୋଜନା ସ୍ଥିର କରିଥିଲା । ବୈଠକରେ ପ୍ରାରମ୍ଭିକ ସୂଚନା ଦେଇଥିବା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସାମ୍ବାଦିକ ମାନଙ୍କୁ ଲକ୍ଷ୍ଯ କରି କହିଥିଲେ । ନିଜ ଭିତରେ କଥା ହେବ ନାହିଁ । ମୋବାଇଲ ସାଉଣ୍ଡ ସାଇଲେଣ୍ଟ ମୋଡ କରିବ। ଲାଇଭ ଟେଲିକାଷ୍ଟ କରି ପାରିବ ନାହିଁ ବୋଲି କହିଥିଲେ । ଜଣେ ସାମ୍ବାଦିକ ପ୍ରଶ୍ନ ପଚାରି ପାରିବୁ କି ନାହିଁ ବୋଲି କହୁଥିବା ବେଳେ ସତରେ କେହି ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପ୍ରଶ୍ନ ପଚାରି ପାରିନଥିଲେ । ଏହା ଗଣମାଧ୍ୟମକୁ ବାଟବଣା ଉଦ୍ଯମ ବୋଲି ଟୁପୁରୁଟାପୁରୁ ହୋଇଥିଲେ ।
ମାଳ ମାଳ ଖଣ୍ଡୁଆ- ଟାଉନହଲ ୧୦ଟା ବେଳେ ଖାଲି ପଡିଥିଲା । ଅଧିକାରୀ ଓ ପୋଲିସ ଚାରିଆଡେ ମାଳ ମାଳ ହେଉଥିଲେ । ରାଜ୍ଯ ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଷ୍ଟେଜର ପଛ ସିଟରେ ବସିଥିଲେ । ପରେ ମନ୍ତ୍ରୀ ସାଂସଦ ଓ ବିଧାୟକ ମାନେ ଆସନ ଅଳଙ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ଆସିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା । ସିଟରେ ବସିବା ସମୟରେ କିଛି ସେବାୟତ ଖାଲି ପାଦରେ ଓଲାଗି ଖଣ୍ଡୁଆ ଓ ନୀଳଚକ୍ର ବାନା ନେଇ ମଞ୍ଚାସୀନ ବ୍ଯକ୍ତି ମାନଙ୍କ ବେକରେ ପକାଇଥିଲେ ତେବେ କେତେକ ଚପଲ ପିନ୍ଧି ଏହାକୁ ବେକରେ ଧାରଣ କରିଥିବାରୁ ବୈଠକରେ ସଭ୍ଯ ମାନେ ଏହାକୁ ନାପସନ୍ଦ କରିଥିଲେ । ଏତେ ଖଣ୍ଡୁଆ ଆସୁଛି କୁଆଡୁ । ପରିଚାଳନା କମିଟିର ସଦସ୍ଯ ହେବା ପାଇଁ ଏହା ପ୍ରାଥମିକ ଉଦ୍ଯମ ବୋଲି ସଭ୍ଯ ମାନେ କୁହାକୁହି ହେଉଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ