ନୂଆଦିଲ୍ଲୀ, ଜୁଲାଇ ୧୦ (ହିସ)- ଗୁରୁବାର ଦିନ ଭାରତ ମଣ୍ଡପମରେ ଅନୁଷ୍ଠିତ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ପୁରସ୍କାରର ୧୯ତମ ସଂସ୍କରଣରେ ଶିଳ୍ପଜଗତ ସହିତ ଆଲୋଚନା କରିବା ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ଯେ ଶିଳ୍ପ କେବଳ ଆର୍ôଥକ କାର୍ଯ୍ୟକଳାପର କେନ୍ଦ୍ର ନୁହେଁ ବରଂ ଭାରତର ଭବିଷ୍ୟତର ସହ-ସର୍ଜ୍ଜନାକାରୀ ମଧ୍ୟ। ସେ ଶିଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତି, ସ୍ଥିରତା ଏବଂ ନବସୃଜନକୁ ସେମାନଙ୍କର କାର୍ଯ୍ୟ ସଂସ୍କୃତିର ଆଧାର କରିବାକୁ ଆହ୍ୱାନ କରିଛନ୍ତି।
ଉପରାଷ୍ଟ୍ରପତି କହିଛନ୍ତି ଯେ ଶିଳ୍ପକୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସମର୍ଥନ କରି ଏବଂ ନେତୃତ୍ୱର ଲିଙ୍ଗ ଏବଂ ଜାତି ବିବିଧତାକୁ ପ୍ରୋତ୍ସାହିତ କରି ଅନ୍ତର୍ଭୁକ୍ତିର ଏକ ଶକ୍ତି ହେବା ଉଚିତ। ସେ ସୂକ୍ଷ୍ମ ଲିଙ୍ଗ ବୈଷମ୍ୟ ଉପରେ ଚିନ୍ତା ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ସମାନତା ପାଇଁ ଆମକୁ ଆଚରଣଗତ ପରିବର୍ତନ ଆଣିବାକୁ ପଡିବ।
ଭାରତର ସ୍ଥାୟୀ ବିକାଶର ଭୂମିକା ବିଷୟରେ ସେ କହିଛନ୍ତି ଯେ ୨୦୩୦ ର ବିଶ୍ୱ ସ୍ଥାୟୀ ବିକାଶ ଏଜେଣ୍ଡାର ସଫଳତା ଭାରତର ଅଂଶଗ୍ରହଣ ବିନା ସମ୍ଭବ ନୁହେଁ। ଭାରତ ସ୍ପଷ୍ଟତା ଏବଂ ପ୍ରତିବଦ୍ଧତା ସହିତ ଏହି ଦାୟିତ୍ୱକୁ ପୂରଣ କରିଛି। ସେ ଶିଳ୍ପଗୁଡ଼ିକୁ କେବଳ ଅନୁପାଳନ ଭାବରେ ନୁହେଁ ବରଂ ଏକ ପ୍ରତିଯୋଗିତାମୂଳକ ଲାଭ ଭାବରେ ସ୍ଥାୟୀତ୍ୱ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।
ଧନଖଡ 'ବ୍ରାଣ୍ଡ ଇଣ୍ଡିଆ' ପାଇଁ ଚାରୋଟି ସ୍ତମ୍ଭ ପରାମର୍ଶ ଦେଇଥିଲେ - ଗୁଣବତା, ବିଶ୍ୱାସ, ନବସୃଜନ ଏବଂ ଆଧୁନିକ ପରିପ୍ରେକ୍ଷୀରେ ପୁନଃପରିଭାଷିତ ପ୍ରାଚୀନ ଜ୍ଞାନ। ସେ କହିଥିଲେ ଯେ ଶିଳ୍ପଗୁଡ଼ିକ ଗ୍ରୀନଫିଲ୍ଡ ପ୍ରକଳ୍ପ ଏବଂ ଅବହେଳିତ କ୍ଷେତ୍ରରେ ସିଏସଆର ପାଣ୍ଠି ମାଧ୍ୟମରେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ସ୍ଥାପନ କରିବା ଉଚିତ। ଘରୋଇ କ୍ଷେତ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ସରକାରଙ୍କ ଭୂମିକା କେବଳ ଏକ ସମର୍ଥକର। ପ୍ରକୃତ ଦାୟିତ୍ୱ କର୍ପୋରେଟ୍ କ୍ଷେତ୍ରର। ସରକାର ଏକାକୀ କୌଣସି ମ୍ୟାଚ୍ ଜିତିପାରିବେ ନାହିଁ, ଏଥିପାଇଁ ଶିଳ୍ପର ସହଯୋଗ ଆବଶ୍ୟକ।
ଉପରାଷ୍ଟ୍ରପତି ଗବେଷଣା ଏବଂ ଦକ୍ଷତା ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଶିଳ୍ପଗୁଡ଼ିକୁ ଆହ୍ୱାନ କରିଥିଲେ ଏବଂ କହିଥିଲେ ଯେ ଭାରତର ଯୁବ ଜନସଂଖ୍ୟା ସବୁଠାରୁ ବଡ଼ ପୁଞ୍ଜି, ଯାହାକୁ ସଠିକ୍ ଦିଗଦର୍ଶନ ଦେବା ଆବଶ୍ୟକ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ