ଜୟପୁର,, 2 ଜୁଲାଇ (ହି.ସ.)
ଜୟପୁର ମୁଖ୍ୟ ରାସ୍ତାରେ ରହିଛି ଜୟପୁର ମୁଖ୍ୟ ଡାକଘର। ଦୀର୍ଘ ୬୦ ବର୍ଷ ଧରି ଏହି ଡାକଘର ଲୋକଙ୍କ ସେବା କରିବାରେ ଲାଗିଛି। ଦିନକୁ ଦିନ କୋଠାର ଆୟୁସ କମିବାରେ ଲାଗୁଥିବା ବେଳେ ଏହାର ମରାମତି କରିବାର ନିହାତି ଆବଶ୍ୟକ ରହିଛି। ଜୟପୁର ସହରରେ ଗତ ୪ଦିନ ହେଲା ଲଗାଣ ବର୍ଷାରେ ଲୋକେ ବେହାଲ ହୋଇଯାଉଥିବା ବେଳେ ଘର ଗୁଡିକର ସମସ୍ୟା ମଧ୍ୟ କହିଲେ ନସରେ। ସେଥି ମଧ୍ୟରେ ଏହି ମୁଖ୍ୟ ଡାକଘର ଅବସ୍ଥା ଯିଏ ଦେଖିବ ସେହିଁ ବିଶ୍ବାସ କରିପାରିବ। କର୍ମଚାରୀ ମାନେ ଡାକଘର ମଧ୍ୟରେ କାମ କରିବାକୁ ବସିଲେ ସାଙ୍ଗରେ ଗୋଟିଏ ତଉଲିଆ ଧରି ବସୁଛନ୍ତି। ଡାକଘର ମଧ୍ୟରେ ପାଣି ଜମା କରବା ପାଇଁ ଦୁଇଟି ବେସିନ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଛାତରୁ ନିୟମିତ ଭାବେ ପାଣି ଟପ ଟପ ଗଳୁଛି। କିଛି ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ରଡ ପଦାକୁ ଦେଖାଯିବା ସହ କିଛି ସ୍ଥାନ ଦବି ଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ବର୍ଷା ହେଲେ ଡାକଘର ପରିସରରେ ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡୁଛି। ଏହାକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ମୁଖ୍ୟ ଡାକଘର ଅଧିନରେ ୪୨ଟି ସବ ପୋଷ୍ଟ ଅଫିସ ରହିଥିବା ବେଳେ ୫ଶହ ରୁ ଅଧିକ ଶାଖା ପୋଷ୍ଟ ଅଫିସ ରହିଛି। ଏହି ମୁଖ୍ୟ ଡାକଘରେ ୬୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ବର୍ଷା ଦିନ ଆସିଲେ କର୍ମଚାରୀ ମାନେ ନିଜ ନିଜ ଟେବୁଲରେ ବସି କାମ କରିବା କଷ୍ଟସାଧ୍ୟ ହୋଇପଡୁଛି। ଯାହା ଫଳରେ ଗ୍ରାହକ ମାନେ ଡାକଘରକୁ ଆସିବା ସମୟରେ ଛାତରୁ ପାଣି ପଡୁଥିବା ଦେଖି ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ଏନେଇ ପୋଷ୍ଟମାଷ୍ଟରଙ୍କୁ ଜଣାଇବା ପରେ ମଧ୍ୟ ଆଜିସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ପୋଷ୍ଟମାଷ୍ଟର ଶ୍ରୀ ରାମ ଚନ୍ଦ୍ରଙ୍କ କହିବାନୁଯାୟୀ ସେ ଏନେଇ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଜଣାଇଦେଇଛନ୍ତି ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଛି ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି