ନୂଆଦିଲ୍ଲୀ, ଜୁଲାଇ ୨୨ (ହିସ)- କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ୨୪ ଜୁଲାଇରେ ଅଟଳ ଅକ୍ଷୟ ଉର୍ଜା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସମବାୟ ନୀତି ୨୦୨୫ ଉନ୍ମୋଚନ କରିବେ। ସମବାୟ ମନ୍ତ୍ରଣାଳୟ କହିଛି ଯେ ଏହି ନୀତି ଆଗାମୀ ଦୁଇ ଦଶନ୍ଧି (୨୦୨୫-୨୦୪୫) ପାଇଁ ଭାରତର ସମବାୟ ଆନ୍ଦୋଳନର ଦିଗ ଏବଂ ଅବସ୍ଥା ନିର୍ଣ୍ଣୟ କରିବ। ସମବାୟ ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଏହି ଅବସରରେ, ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କମିଟିର ସଦସ୍ୟ, ଦେଶର ପ୍ରମୁଖ ଜାତୀୟ ସମବାୟ ସଂଘଗୁଡ଼ିକର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାତୀୟ ସମବାୟ ବିକାଶ ନିଗମ (ଏମସିଡିସି), ଜାତୀୟ ସମବାୟ ତାଲିମ ପରିଷଦ (ଏନସିସିଟି) ଏବଂ ବୈକୁଣ୍ଠ ମେହେଟ୍ଟା ଜାତୀୟ ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧିକାରୀମାନେ ଉପସ୍ଥିତ ରହିବେ। ବିବୃତିରେ କୁହାଯାଇଛି ଯେ ଜାତୀୟ ସମବାୟ ନୀତି ୨୦୨୫ର ଉଦ୍ଦେଶ୍ୟ ହେଉଛି ସମବାୟ କ୍ଷେତ୍ରକୁ ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତ-ମୁଖୀ କରିବା। ଏହି ନୀତି ଗ୍ରାମୀଣ ଭାରତରେ ନିଯୁକ୍ତି ଏବଂ ଜୀବିକା ସୁଯୋଗକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରିବ ଏବଂ 'ବିକଶିତ ଭାରତ ୨୦୪୭' ଲକ୍ଷ୍ୟକୁ ସାକାର କରିବାରେ ସମବାୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁନିଶ୍ଚିତ କରିବ। ଭାରତର ପ୍ରଥମ ଜାତୀୟ ସମବାୟ ନୀତି ୨୦୦୨ ମସିହାରେ ପ୍ରକାଶିତ ହୋଇଥିଲା। ଗତ ଦୁଇ ଦଶନ୍ଧିରେ ହୋଇଥିବା ସାମାଜିକ, ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ପରିବର୍ତନକୁ ଧ୍ୟାନରେ ରଖି, ଏକ ନୂତନ, ସମସାମୟିକ ଏବଂ ବ୍ୟବହାରିକ ନୀତିର ଆବଶ୍ୟକତା ଅନୁଭୂତ ହେଉଥିଲା।
ମନ୍ତ୍ରଣାଳୟ ଅନୁଯାୟୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୪୮ ଜଣିଆ କମିଟି ଏହି ନୀତି ପ୍ରସ୍ତୁତ କରିଛି। ନୀତି ନିର୍ଦ୍ଧାରଣ ସମୟରେ, ୧୭ଟି ବୈଠକ ଏବଂ ୪ଟି ଆଂଚଳିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଅଂଶୀଦାରଙ୍କଠାରୁ ପ୍ରାପ୍ତ ୬୪୮ ଟି ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଏକ ଅଂଶଗ୍ରହଣକାରୀ ଏବଂ ଅନ୍ତର୍ଭୁକ୍ତିମୂଳକ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା।
ବିବୃତିରେ କୁହାଯାଇଛି ଯେ ନୂତନ ସମବାୟ ନୀତି କେବଳ ସମବାୟ ସଂସ୍ଥାଗୁଡ଼ିକୁ ବୃତିଗତ ଏବଂ ସ୍ୱାବଲମ୍ବୀ କରିବା ଦିଗରେ କାର୍ଯ୍ୟ କରିବ ନାହିଁ, ବରଂ ସେମାନଙ୍କୁ ବର୍ତମାନର ଆର୍ôଥକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ମଧ୍ୟ ସକ୍ଷମ କରିବ। ଏହି ନୀତି ସହଯୋଗ ମାଧ୍ୟମରେ ଗ୍ରାମଗୁଡ଼ିକରେ ସମୃଦ୍ଧି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ