କେନ୍ଦୁଝର, 29 ଜୁଲାଇ (ହି.ସ.)
ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟା ମୃତ୍ଯୁ, ନାକଝରୀ ଗ୍ରାମରେ ଦେଖାଦେଇଛି ଶୋକାକୁଳ ପରିବେଶ।ଏକ ଅଭାବନୀୟ ଅଘଟଣା ଘଟିଯାଇଛି ଘଟଗାଁ ଥାନା ଅଧିନସ୍ଥ ନାକଝରୀ ଗ୍ରାମରେ। ଏହି ଗ୍ରାମର ଦୁଇ ଶିଶୁ କନ୍ୟା ଅମ୍ରିତା ବଳ ଓ ଭୂମିକା ନାଏକ ବିଦ୍ୟାଳୟରୁ ଘରକୁ ଫେରି ଦୁହେଁ ଘର ପାଖ ପୋଖରୀ ନିକଟରେ ଖେଳୁଥିଲେ। ଦୁର୍ଭାଗ୍ୟ ବଶତଃ ଗୋଡ ଖସିଯିବାରୁ ଦୁହେଁ ପୋଖରୀ ପାଣିରେ ଖସି ପଡ଼ିଥିଲେ।ସୂଚନା ଥାଉକି ଘଟଗାଁ ଥାନା ନାକଝରୀ ଗ୍ରାମର ଅଜୟ କୁମାର ବଳ ଙ୍କ ଝିଅ ଅମ୍ରିତା ବଳ (୬) ଏବଂ ପାଟଣା ଥାନା ଅଧୀନ ସାହାରପଡା ତେଲିପଡ଼ା ଗ୍ରାମର ଚନ୍ଦ୍ରମୋହନ ନାଏକ ଙ୍କ ଝିଅ ଭୂମିକା ନାଏକ (୭) ପୋଖରୀ ପାଣିରେ ବୁଡି ମୃତ୍ଯୁ ବରଣ କରିଛନ୍ତି। ପ୍ରକାଶ ଥାଉକି ଭୂମିକା ନାଏକ ନାକଝରୀ ଗାଁ ତରଣୀସେନ ନାଏକ ଙ୍କ ଶାଳୀ ଝିଅ। ନାକଝରୀ ଗ୍ରାମରେ ରହି ପାଠ ପଢୁଥିଲେ। ସ୍କୁଲ ରୁ ଫେରି ଘ ୪. ୩୦ ରେ ଖେଳୁଥିଲେ। ଘରଲୋକ ଖୋଜା ଖୋଜି କରିବା ସମୟରେ ପୋଖରୀ ପାଣିରେ ଅମ୍ରିତା ବଳ ପଡି ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ପରେ ଭୂମିକା ନାଏକ ଙ୍କୁ ସେହି ପୋଖରୀରୁ ମଧ୍ୟ ଉଧାର କରିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ପୋଖରୀରୁ ଉଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।ଫଳରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA