ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳକୁ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗସ୍ତ କରି ଏଠିକାର ସମସ୍ୟା ପ୍ରତି ଅବଗତ ହେବା ସହ ଏହାର ସମାଧାନ କରିବାକୁ ଦାବି କରାଯାଇଛି। ପରିବେଶ ବିସ୍ଥାପନ ଓ ଜୀବିକା କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅଶୋକ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧର୍ମଶାଳା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଏଠାରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ପ୍ରତିନିଧି ଦଳ ସ୍ଥନୀୟ ହରିଦାସପୁର ଠାରେ ସ୍ଥାପିତ ରାମକୋ ସିମେଂଟ କାରଖାନା ବୁଲି ଦେଖିବା ସହିତ ଏହି କାରଖାନା ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଠାରେ କୁଶଳୀ ଓ ଅଣ କୁଶଳୀ କାରିଗରମାନେ ରହୁଥିବା ବେଳେ ସେମାନଙ୍କୁ ସ୍ଥାନୀୟ ସିମେଂଟ କାରଖାନାରେ ନିଯୁକ୍ତି ନଦେଇ ବାହାର ରାଜ୍ୟର କର୍ମଚାରୀମାନଙ୍କୁ ଏଠାରେ ନିଯୁକ୍ତି ଦିଆ ଯାଇଥିବାରୁ ଅସନ୍ତୋଷ କରିଥିଲେ। ସେହିପରି ଏଠାରେ ଗଡିଉଠିଥିବା ବେଆଇନ କ୍ରସର ଗୁଡିକ ବୁଲି ଦେଖିବା ସହିତ କ୍ରସର ଗୁଣ୍ଡରେ ଶହ ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ଅନୁଭବ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ଏଠାରେ ଚାଷ ଜମିକୁ ଜଳ ସେଚିତ କରିବା ଲାଗିଥିବା କେନାଲ ଗୁଡିକରେ ଏବେ ସୁଦ୍ଧା ପାଣି ନଆସିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ଏହି ଟିମ ବହୁଚର୍ଚିତ କ୍ରସର ହତ୍ୟାକାଣ୍ଡରେ ମୃତ୍ୟୁ ବରଣ କରିଥିବା ଅର୍ଜିତ ଜେନାଙ୍କ ଘରକୁ ଯାଇ ତାଙ୍କ ବପା ମାଆକୁ ଭେଟି ସମବେଦନା ଜଣାଇବା ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପରେ ଏମାନେ ଜାରକା କୁମାରୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଁଚି ଘଟଣା ଉପରେ ଆଲୋଚନା କରିବା ସହ ଏହାର ସମାଧାନ କରିବାକୁ ଚଳିତ ବିଧାନସଭା ଗୃହରେ ଉତଥାପନ କରାଯିବ ବୋଲି କହିଥିଲେ। ଏହି ଅନୁଧ୍ୟାନକାରୀ ଦଳରେ ଶ୍ରୀ ଦାସଙ୍କ ନେତୃତ୍ୱରେ ଆବାହକ ସୁଧାଂଶୁ ଶେଖର ଦେଓ ,ଧର୍ମଶାଳାର କଂଗ୍ରେସ ନେତା କିଶାନ ପଣ୍ଡା, ଜିଲ୍ଲା କୃଷକ ସେଲ ସଭାପତି ବସନ୍ତ କୁମାର ପରିଡା, ସଂଯୋଜକ ପ୍ରଫୁଲ୍ଲ କୁମାର ରାୟ, ମାଗୁଣି ଜେନା, ସଞ୍ଜୟ କୁମାର ରାଉତ, ରାକେଶ ସାହୁ , କାର୍ତିକ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ