ବଳକା ଧାନ କିଣିବା ଓ କ୍ରୟ ସୀମା ବୃଦ୍ଧି କରିବାକୁ ନବୀନଙ୍କ ଦାବି
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.) - ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ , କେନ୍ଦ୍ର କୃଷି ମନ୍ତ୍ରୀ ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦକ୍ଷେପ ନେବାକୁ ନବୀନ ଏକ୍ସ ଯୋଗେ ଦାବି କରିଛନ୍ତି। ପଞ୍
ବଳକା ଧାନ କିଣିବା ଓ କ୍ରୟ ସୀମା ବୃଦ୍ଧି କରିବାକୁ ନବୀନଙ୍କ ଦାବି


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.) - ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ , କେନ୍ଦ୍ର କୃଷି ମନ୍ତ୍ରୀ ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦକ୍ଷେପ ନେବାକୁ ନବୀନ ଏକ୍ସ ଯୋଗେ ଦାବି କରିଛନ୍ତି। ପଞ୍ଜିକୃତ ସମସ୍ତ ଚାଷୀମାନଙ୍କ ବଳକା ଧାନ କିଣିବା , ଲାପ୍ସ ହୋଇଥିବା ଟୋକନର ଅବଧି ବୃଦ୍ଧି ସହ ଧାନ କ୍ରୟ ସୀମା ମଧ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି ନବୀନ।

ଏକ୍ସରେ ନବୀନ ଲେଖିଛନ୍ତି ଚଳିତ ବର୍ଷ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ରବି ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଂଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି।

ସରକାର କହିଥିଲେ, ଯେଉଁ ଚାଷୀଙ୍କର ବଳକା ଧାନ ମଣ୍ଡିରେ ବିକ୍ରି କରିବାକୁ ପଞ୍ଜିକରଣ ହୋଇଛି, ଏଥିପାଇଁ ଜାରି ହୋଇଥିବା ଟୋକନ ଲାପ୍ସ କରିବ ନାହିଁ। ଆବଶ୍ୟକ ସ୍ଥଳେ ଟୋକନର ଅବଧି ମଧ୍ୟ ବୃଦ୍ଧି କରାଯିବ।

କିନ୍ତୁ ଦୁର୍ଭାଗ୍ୟର କଥା, ଅଚାନକ ଭାବେ ରାଜ୍ୟ ସରକାର ଜୁନ ୩୦ ତାରିଖ ଧାନ ବିକ୍ରି ଲାଗି ପଞ୍ଜିକରଣର ଶେଷ ଦିନରେ ଆଇସ୍କାନ କରି ଧାନ କିଣିବା ପାଇଁ ଘୋଷଣା କରୁଛନ୍ତି। ରାଜ୍ୟ ସରକାରଙ୍କର ଏପରି ଚାଷୀମାରଣ ନୀତି ପାଇଁ ଓଡ଼ିଶାର ହଜାର ହଜାର ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି। ଏଭଳି ନିଷ୍ପତି ଚାଷୀଙ୍କ ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ ସାଙ୍ଗକୁ ଘୋର ପ୍ରତାରଣା କହିଲେ ଭୁଲ ହେବନାହିଁ।

ଚାଷୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚøହ୍ୱାନ ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଅନ୍ତୁ।

ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀମାନଙ୍କ ବଳକା ଧାନ ସରକାର କ୍ରୟ କରନ୍ତୁ। ଲାପ୍ସ ହୋଇଥିବା ଟୋକନର ଅବଧି ବୃଦ୍ଧି କରାଯିବା ସାଙ୍ଗକୁ ଧାନ କ୍ରୟ ସୀମା ମଧ୍ୟ ବୃଦ୍ଧି କରାଯାଉ। ଯାହା ଫଳରେ ଓଡ଼ିଶାର ଚାଷୀ ଭାଇଭଉଣୀମାନେ ଆଶ୍ୱସ୍ତ ହେବା ସହ ବହୁତ ଉପକୃତ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande