ମାଲକାନଗିରି, ୪ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ବାହାରି ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଅବସ୍ଥା କିନ୍ତୁ ବିପର୍ଯ୍ୟସ୍ତ । ଯନ୍ତ୍ରଣାରେ ଜର୍ଜରିତ ପାହାଡ଼ି ଗ୍ରାମଗୁଡିକରେ ବାସ କରୁଥିବା ଅଧିବାସୀମାନଙ୍କ ଜୀବନରେ ହସ ଫୁଟିବ କେବେ । ନିର୍ବାଚନ ଆସେ ଓ ଯାଏ । ଲୋକଙ୍କୁ ପ୍ରତିଶ୍ରୁତି ଦେଇ ନେତା ଓ ମନ୍ତ୍ରୀ ଚାଲିଯାନ୍ତି । ପ୍ରତିଶ୍ରୁତି କେବଳ ପାଣି ଗାର ସଦୃଶ୍ୟ ହୁଏ ।ଆଜି ବି ଲୋକେ ମୌଳିକ ସୁବିଧା ପାଇଁ ଆନ୍ଦୋଳନ କରିବାକୁ ପଛାଉ ନାହାନ୍ତି । କିନ୍ତୁ, ମିଳୁଛି କଣ । କେବଳ ପ୍ରତିଶ୍ରୁତି । ଯଦି ଦେଖିବା ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଂଚାୟତରର ତାଗବେଡା, ବଣ୍ଡାଘାଟିର ବନ୍ଧଗୁଡ଼ା, କିର୍ସାନିପଡା ଭଳି ବହୁ ଗ୍ରାମ ପାହାଡ଼ି ହୋଇଥିବା ବେଳେ ପ୍ରଶାସନ ଅଧିକାରୀଙ୍କ ପାଦ ଏହି ଗାଁ ମାନଙ୍କରେ କେବେ ପଡି ନାହିଁ । ଦୁଇ ଆଦିମ ଜନଜାତି ବଣ୍ଡା ଓ ଡାଡାୟୀ ଦଶନ୍ଧି ଦଶନ୍ଧି ଧରି ନିଜର ଭାଗ୍ୟକୁ ଆଦରି ଏହି ପାହାଡି ଗାଁମାନଙ୍କରେ ପାହାଡ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି । ପାହାଡ଼ିଆ ରାସ୍ତାରେ ଚାଲିବାରେ ଏମାନେ ଅଭ୍ୟସ୍ତ । ପାଣି ପାଇଁ ବର୍ଷ ତମାମ ପାହାଡ଼ିଆ ଝରଣା ଏବଂ ଚୁଆ ଉପରେ ହିଁ ନିର୍ଭର କରନ୍ତି । ବହୁ ସମୟରେ ପାଣି ପାଇଁ ମାଇଲ ମାଇଲ ବାଟ ମଧ୍ୟ ଚାଲିବାକୁ ପଡ଼େ । ରାସ୍ତା ନଥିବାରୁ ଗାଁକୁ ନା ଆମ୍ବୁଲାନ୍ସ ଆସୁଛି ନା କୌଣସି ସରକାରୀ ବାବୁଙ୍କ ପାଦ ପଡୁଛି । ରୋଗୀ ଓ ଗର୍ଭବତୀ ତଥା ପ୍ରସୂତୀଙ୍କୁ କାଉଡି କରି କିମ୍ବା ଖଟିଆରେ ମେଡିକାଲ ନେବାକୁ ପଡିଥାଏ । ଅଜଣା ରୋଗର ଶିକାର ହୋଇ ଅକାଳରେ ବହୁ ଲୋକଙ୍କ ଜୀବନ ଯାଏ । ଏହାର ହିସାବ ନା ସ୍ୱାସ୍ଥ୍ୟ ବିଭାଗ ପାଖରେ ନା ପ୍ରଶାସନ ପାଖରେ ରହିଛି । ୨୦୧୬ରେ ଜାପାନୀ ଜ୍ୱରରେ ଏହି ଅଂଚଳର ବହୁ ପିଲାଙ୍କ ଜୀବନ ଚାଲିଯାଇଛି । କେବଳ ଉଚିତ ଚିକିତ୍ସା ଅଭାବରୁ । ଭୋଟ ମାଗିବା ପାଇଁ ନେତାମାନେ ଚାଲି ଚାଲି କିନ୍ତୁ ପାହାଡି ରାସ୍ତା ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କୁ ଆଶ୍ୱାସନା ଦେଇ ଭୋଟ ନିଅନ୍ତି । କିନ୍ତୁ, ପରମୁହୁର୍ତରେ ତାକୁ ଭୁଲିଯାନ୍ତି ବୋଲି ଗ୍ରାମବାସୀ କହନ୍ତି । ଖଇରପୁଟ ବ୍ଲକରେ ମୁଦୁଲିପଡା, ଅଣ୍ଡ୍ରାହାଲ, ରାସବେଡା ଗୋବିନ୍ଦପାଲୀ, ପୋଡାଘାଟ, ବଡ଼ଡୁରାଲ ଭଳି ପଂଚାୟତର ବହୁ ଗ୍ରାମ ଆଜି ବି ପାହାଡ଼ ଉପରେ ରହିଛି । ପାହାଡ଼ ଉପରେ ବସବାସ କରୁଥିବା ଲୋକଙ୍କ ଚିତ୍କାର କେବଳ ପଥରରେ ପିଟି ହୋଇ ସେଠାରେ ହିଁ ରହିଯାଉଛି । ବହୁ ପାହାଡିଆ ଗ୍ରାମରେ ଆଜି ବି ସ୍କୁଲ ଓ ଅଂଗନବାଡ଼ି କେନ୍ଦ୍ର ନାହିଁ । ବହୁ ପିଲା ଅପପୃଷ୍ଟିର ଶିକାର ହେଉଛନ୍ତି । ସରକାର ଚେତିଲେ ପାହାଡ଼ିଆ ଲୋକଙ୍କ ଭାଗ୍ୟ ବଦଳିବ ବୋଲି କୁହାଯାଇଛି । ତେବେ ସରକାର କେବେ ଚେତୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ