ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଅସଦାଚରଣ, ଦୋଷୀକୁ ୧୨ବର୍ଷ କାରାଦଣ୍ଡ
ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଅସଦାଚରଣ, ଦୋଷୀକୁ ୧୨ବର୍ଷ କାରାଦଣ୍ଡ
ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଅସଦାଚରଣ, ଦୋଷୀକୁ ୧୨ବର୍ଷ କାରାଦଣ୍ଡ


ସମ୍ବଲପୁର, ୦୮ ଜୁଲାଇ (ହି.ସ.) ସମ୍ବଲପୁର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଅଭିଳାଶ ସେନାପତି ଏକ ୧୬ବର୍ଷିୟା ନାବାଳିକା ଦୁଷ୍କର୍ମ ଓ ପ୍ରତାରଣା ମାମଲାର ବିଚାର କରି ସୋମବାର ରାୟ ପ୍ରଦାନ କରିଛନ୍ତି । ଗୋବିନ୍ଦପୁର ଥାନା କିନାବଗା ଗ୍ରାମର ଅଭିଯୁକ୍ତ ଜୟଦେବ ବାଗ(୩୫)କୁ ୧୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫୦ହଜାର ଟଙ୍କା ଜରିମାନା କରିଥିବା ବେଳେ ଅର୍ଥ ଅନାଦେୟ ଦେଲେ ଅଧିକ ୧ବର୍ଷ ଦଣ୍ଡାଦେଶ ରହିଛି । ସେହିପରି କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଟଙ୍କା ପୀଡିତାକୁ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜୟଦେବ ଏକ ୧୬ବର୍ଷିୟା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା । ପୀଡିତା ନାବାଳିକା ଗର୍ଭବତୀ ହେବା ପରେ ଜୋର ଜବରଦସ୍ତି ଗର୍ଭପାତ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଓ ବିବାହ କରିବାକୁ ମନା କରିବାରୁ ପୀଡିତା ଜଣକ ୩୦ଅଗଷ୍ଟ, ୨୦୧୬ରେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ୧୨୧/୧୬ରେ ଏକ ମାମଲା ରୁଜୁ କରି ଜୟଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତତ୍‌କାଳୀନ ଥାନା ଅଧିକାରୀ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ମୋଟ ୧୫ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande