ଜୟପୁର ପୌରପାଳିକା ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ଥିବା ଦୋକାନ ସମ୍ମୁଖ ସାଇନବୋର୍ଡ କୁ ହଟାଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରି ଏ.ସସ୍ୟା ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ପୌର କର୍ମଚାରୀ ମାନେ ଟ୍ରାଫିକ ଛକ ଠାରୁ ରାଜନଅର ରାସ୍ତାର ଦୁଇ କଡରେ ଥିବା ଦୋକାନ ଗୁଡିକ ସମ୍ମୁଖ ସାଇନ ବୋର୍ଡକୁ କାଢି ଦୋକାନ ମାଲିକଙ୍କୁ ତାଗିଦ କରିଛନ୍ତି। ପୁନର୍ବାର ଯଦି ଦୋକାନ ମାଲିକ ରାସ୍ତା ଉପରେ ଏହି ସାଇନ ବୋର୍ଡକୁ ରଖି ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ପୌର ପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଥିଲା। ଆଗାମୀ ଦିନରେ ଜୟପୁର ସହରର ଏନକେଟି ରୋଡ, ପ୍ରସାଦରାଓ ପେଟା, ବେଲରୋଡ, ଏମଜି ରୋଡ ଭଳି ସମସ୍ତ ଗଳିକନ୍ଦି ମାନଙ୍କରେ ପୌରପାଳିକା ପକ୍ଷରୁ ଦୋକାନ ଗୁଡିକ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର କର୍ମଚାରୀ ମାନେ ତାଗିଦ କରିଛନ୍ତି। ଯଦି କେହି ଦୋକାନ ମାଲିକ ଏହାକୁ ଅବମାନନା କରନ୍ତି ତେବେ ଆଗାମୀ ଦିନରେ ସେହି ଦୋକାନକୁ ଜବତ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏହି ଚଢାଉରେ ସତ୍ୟନାରାୟଣ ପାତ୍ରଙ୍କ ସମେତ ଅନ୍ୟ ପୌର କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି