ପୁରୀ, ୧୩ ଅଗଷ୍ଟ (ହି.ସ.) - ଭାରତର ବାଣିଜ୍ୟ ଉପରେ ଦମନ ଓ ୫୦ ଭାଗ ତାରିଫ ଲଦିବା ,ଭାରତର ଇଂଲଣ୍ଡ ସହ ଦେଶ ବିରୋଧୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ନିର୍ବାଚନ ଜାଲିଆତି କରି ଗଣତାନ୍ତ୍ରକୁ ହତ୍ୟା କରିବା, କେନ୍ଦ୍ର ସରକାରର ଶ୍ରମିକ କୃଷକ ଆଇନର ପ୍ରତିବାଦ କରି ବୁଧବାର ପୂର୍ବାହ୍ନରେ ମିଳିତ ବାମପନ୍ଥୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରିଯାଇଥିଲା । ଏଆଇଟିୟୁସି ସିଆଇଟିୟୁ, ଏଆଇଏଫଟିୟୁ ଓ ମିଳିତ କୃଷକ ମୋର୍ଚ୍ଚା ଏଥିରେ ଯୋଗ ଦେଇଥିଲେ । ଆମେରିକାକୁ ଦୃଢ ପ୍ରତିବାଦ କରିବାରେ ମୋଦି ସରକାର ବିଫଳ ହୋଇଛି । ବ୍ୟବସାୟିକ ବଜାର, କୃଷି କ୍ଷେତ୍ର ଓ କ୍ଷୁଦ୍ର ଶିଳ୍ପ ଧ୍ୱଂସ ମୁଖକୁ ଟାଣି ହୋଇଯିବ । ଇଷ୍ଟ ଇଣ୍ଡିଆ କମ୍ପାନି ପରି ପୁଣି ଭାରତରେ ପ୍ରବେଶ କରି ଲୁଟ କରିବା ଯୋଜନା କରିଛି । କେନ୍ଦ୍ର ସରକାର ଶ୍ରମିକ କୃଷକ ଆଇନ ବିରୋଧୀ କଳା ଆଇନ ପ୍ରତ୍ୟାହାର କରୁନାହିଁ । ଅଗଷ୍ଟ ୧୩ ଦେଶ ବ୍ୟାପି ଆନ୍ଦୋଳନ ଡାକରାରେ ପୁରୀଜିଲ୍ଲାର ବାମପନ୍ଥୀ ମାନେ ଯୋଗ ଦେଇଛନ୍ତି । ଏଆଇଟିୟୁସିର ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ଡାକ୍ତର ପ୍ରଫୁଲ ମହାପାତ୍ର, ସିଆଇଟିୟୁର ଜଗନ୍ନାଥ ଦେଓ, ଶରତ ରାୟଗୁରୁ, ଟୁନା ନାୟକ, ଶ୍ରୀକାନ୍ତ ପରିଜା, କୃଷକ ନେତା ପ୍ରଦୀପ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ମୋହନ ନାଇଡୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ