ନୂଆଦିଲ୍ଲୀ, 17 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ରବିବାର ଦିନ ଦିଲ୍ଲୀର ରୋହିଣୀରେ ପ୍ରାୟ 11 ହଜାର କୋଟି ଟଙ୍କା ବ୍ୟୟରେ
ନିର୍ମିତ ଦ୍ୱାରକା ଏକ୍ସପ୍ରେସୱେ ଓ ଅର୍ବାନ୍ ଏକ୍ସଟେନ୍ସନ୍ ରୋଡର ଉଦ୍ଘାଟନ
କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଡ଼କ ଦିଲ୍ଲୀକୁ ଉତ୍ତମ ସହର ବନାଇବା ପ୍ରୟାସର ଏକ ଅଂଶ।
ଏହି ଅବସରରେ ଆୟୋଜିତ
କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,
ବିଜେପି ସରକାର ପାଇଁ ଜନକଲ୍ୟାଣ ସର୍ବୋପରି ଅଟେ ଓ
ସୁଶାସନ ଆମର ପରିଚୟ। ଏହି ଦୁଇଟି ରାଜମାର୍ଗ ଆଧୁନିକ ମାନକରେ ନିର୍ମିତ ହୋଇଛି ଓ ଦିଲ୍ଲୀର
ସଂଯୋଗକୁ ନୂଆ ଉଚ୍ଚତା ଦେବ।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ, ଦିଲ୍ଲୀକୁ ବିଶ୍ୱସ୍ତରୀୟ ରାଜଧାନୀ କରିବା ପାଇଁ ଗତ 11 ବର୍ଷ ଧରି ବିଜେପି ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ
କରିଛି। ପେରିଫେରାଲ୍ ଏକ୍ସପ୍ରେସ ୱେ, ବିସ୍ତୃତ ମେଟ୍ରୋ ନେଟୱାର୍କ ଓ ବର୍ତ୍ତମାନ ନୂଆ ନୂଆ ସଡ଼କ
ଯାତାୟାତକୁ ଅଧିକ ସହଜ ଓ ସୁଗମ କରିଛି।
ସେ ଏହା ମଧ୍ୟ କହିଛନ୍ତି ଯେ,
ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ 650ଟି ଇଲେକ୍ଟ୍ରିକ୍
ବସ୍ ଚାଲୁ ହୋଇଛି ଓ ନିକଟ ଭବିଷ୍ୟତରେ ଏହାର ସଂଖ୍ୟା 2,000 ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା
ଗ୍ରୀନ୍ ଦିଲ୍ଲୀ – କ୍ଲିନ୍
ଦିଲ୍ଲୀ ଅଭିଯାନକୁ ଆଉ ଅଧିକ ଗତି ଦେବ।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ ଦିଲ୍ଲୀ-ଏନସିଆରର ବିକାଶ ଭାଜପା ସରକାରର ପ୍ରାଥମିକତା ଅଟେ, ବିଶେଷକରି
ଯେତେବେଳେ ଚାରିପାଖରେ (ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନ) ବିଜେପି ସରକାର ଅଛି। ସେ କହିଛନ୍ତି ଯେ, ଏହି ଦୁଇଟି
ପ୍ରକଳ୍ପ ଦିଲ୍ଲୀ, ଗୁରୁଗ୍ରାମ ଓ ସମ୍ପୂର୍ଣ୍ଣ ଏନସିଆରର ଲୋକମାନଙ୍କ ସୁବିଧା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। କାର୍ଯ୍ୟାଳୟ, ଶିଳ୍ପ ଓ କୃଷି
ସହିତ ସଂପୃକ୍ତ ଯାତାୟାତ ତ୍ୱରିତ ହେବ ଓ ସମୟର ସଂରକ୍ଷଣ
ହେବ।
ଆବର୍ଜନା ପାହାଡ଼ ଯୋଗୁ
ଲୋକମାନଙ୍କ ଅସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ବାନ୍ ଏକ୍ସଟେନ୍ସନ୍ ରୋଡର
ନିର୍ମାଣରେ ଲକ୍ଷାଧିକ ଟନ୍ ଆବର୍ଜନା ବ୍ୟବହାର କରାଯାଇଛି, ଯାହା ଫଳରେ ଏହି ପାହାଡ଼ଗୁଡ଼ିକ ହ୍ରାସ ପାଇଛି ଓ ଅପଶିଷ୍ଟକୁ
ମୂଲ୍ୟବାନ ସାଧନରେ ପରିଣତ କରାଯାଇଛି।
ୟମୁନା ନଦୀ ସଫା କରିବା
ଉଦ୍ୟମ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 16 ଲକ୍ଷ ମେଟ୍ରିକ୍ ଟନ୍
ଅଳିଆ ହଟାଯାଇଛି। ସେ ଏହାକୁ ଦିଲ୍ଲୀକୁ ପ୍ରଦୂଷଣ ଓ ଅବ୍ୟବସ୍ଥାରୁ ମୁକ୍ତ କରିବା ଦିଗରେ ଏକ ବଡ଼
ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ ପୂର୍ବତନ ସରକାର ଉପରେ ଅଭିଯୋଗ ଆଣି କହିଛନ୍ତି ଯେ
ସେମାନେ ଦିଲ୍ଲୀକୁ ଗାତ ଭିତରକୁ ଠେଲି ଦେଇଥିଲେ ଓ ସେଠାରୁ ବାହାର କରିବାର କଷ୍ଟସାଧ୍ୟ କାମ ଏବେ
ବିଜେପି ସରକାର କରୁଛି। ତାଙ୍କର ଭାଷଣରେ ପ୍ରଧାନମନ୍ତ୍ରୀ ସୁଧାର ଉପରେ ବିଶେଷ ଜୋର ଦେଇଥିଲେ।
ସେ କହିଛନ୍ତି ଯେ, ଆମ ପାଇଁ ସୁଧାର ଅର୍ଥ ହେଉଛି ସୁଶାସନର ବିସ୍ତାର। ଆଗାମୀ ସମୟରେ ସରକାର
ଅନେକ ବଡ଼ ସୁଧାର ଲାଗୁ କରିବ, ଯାହାଦ୍ୱାରା ଜୀବନ ଓ ବ୍ୟବସାୟ –ଉଭୟ ଅଧିକ ସହଜ ହୋଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା