ବଲାଙ୍ଗିର, 7 ଅଗଷ୍ଟ (ହି.ସ.)
ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଦୀର୍ଘ ବର୍ଷେ ହେବ ୪୭ ଟିକିଆ ବଣୁଆ ହାତୀପଳଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଏହି ହାତୀପଳ କେତେବେଳେ ଜଇଁନ୍ତରା ବିଟ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ତ ଆଉ କେତେବେଳେ ଗୁଲମି ବିଟର ବାରବନ୍ଧ, ସୁକୁନିପଦର, ରାନିସିଲେଟକୁ ଟନୀଝରନ ଓ ବେହେରାଖାଇ ଅଞ୍ଚଳକୁ ପଶି ଆସୁଛନ୍ତି । ଦୀର୍ଘ ଦିନ ଧରି ଏହି ହାତୀପଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ବାରମ୍ୱାର ଚଳପ୍ରଚଳ କରୁଥିବା ବେଳେ ବନବିଭାଗ ମଧ୍ୟ ନାକେଦମ୍ ହୋଇ ସାରିଲେଣି । ଅଭିଯୋଗ ଅନୁସାରେ ଜଇଁତରା ବିଟ୍ ଅଞ୍ଚଳରେ ହାତୀପଲ ଥିଲେ ମଧ୍ୟ ବାରବନ୍ଧର ଏହି ପାଞ୍ଚ ଖଣ୍ଡ ଗ୍ରାମରେ ସନ୍ଧ୍ୟା ଛଅଟାରୁ ସକାଳ ନଅଟା ପର୍ଯ୍ୟନ୍ତ ମନଇଛା ବିଦ୍ୟୁତ କାଟ କରାଯାଉଛି । ବର୍ଷା ଋତୁ ହୋଇଥିବା ବେଳେ ରାତ୍ରି ସମୟରେ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ମଶା ଆକ୍ରାନ୍ତରେ ଡେଙ୍ଗୁ ରୋଗ ହୋଇ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । ସମଗ୍ର ବାରବନ୍ଧ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଟାୱାର ନ ଥିବା ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇରହିଥିବା ବେଳେ ଅନ୍ୟ ପଟରେ ହାତୀପଲ ପାଇଁ ଘନଘନ ବିଦ୍ୟୁତ୍ କାଟ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡିଛି । ତେଣୁ ଯେଉଁ ଅଞ୍ଚଳରେ ହାତୀପଲ ଥିବେ ସେହି ନିର୍ଦ୍ଧିଷ୍ଟ ଅଞ୍ଚଳର ବିଦ୍ୟୁତ କାଟ କରାଯାଉ ବୋଲି ଗୁରୁବାର ବାରବନ୍ଧ ଗ୍ରାମବାସୀ ମୁରିବାହାଲର ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି ମୁରିବାହାଲ ବନାଞ୍ଚଳ ଅଧିକାରୀ ଶିବପ୍ରସାଦ ନାୟକ ପ୍ରକାଶ କରିଛନ୍ତି । ବାରବନ୍ଧ ଗ୍ରାମର ଲୋକନାଥ ବଘାର, ପବିତ୍ର ସାହୁ, ଭିକାରୀ ଭୋଇ, ଅଭିମନ୍ୟୁ ଖର୍ସେଲ, ରୋହିତ ଭୋଇ, ଲକ୍ଷ୍ମଣ ବାଗ, ରଥ ତାଣ୍ଡି, ଖଗେଶ୍ୱର ଚିନ୍ଦା, ବିବେକ ସାହୁ, ଦସବନ୍ତ ମାଝୀଙ୍କ ସମେତ ବହୁ ଗ୍ରାମବାସୀ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ । ଯଦି ଏହି ପ୍ରକାର ମନମୁଖୀ ବିଦ୍ୟୁତ କାଟ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବୁ ସେଥିପାଇଁ ବିଦ୍ୟୁତ୍ ଓ ବନ ବିଭାଗ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ