
ଧର୍ମଶାଳା, ୧୫ ଜାନୁଆରୀ(ହି.ସ.) – ଆନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଯାଜପୁର ଜିଲା ଉଦୟଗିରିସ୍ଥ ଜାତୀୟ ଶୋଭନୀୟ ଶିକ୍ଷାଶ୍ରମକୁ ଫ୍ରାନସର ଦୁଇ ଶାନ୍ତିଦୂତ ମିଷ୍ଟର ଆଭେ ୱାଲେଟ୍ ଓ ମିସେସ୍ ଲାରା ଡଫ୍ ଅତିଥି ଭାବେ ପଂହଚି ଶିକ୍ଷାଶ୍ରମର ଅନ୍ତେବାସୀମାନଙ୍କୁ ଫ୍ରାନସ୍ ଦେଶ, ରାଜଧାନୀ ପ୍ୟାରିସ୍ ଓ ସେଠାରେ ଗ୍ରାମ୍ୟ ଜୀବନ ଓ ବିଦ୍ୟାଳୟ ଜୀବନ ବିଷୟରେ ନିଜର ଅନୁଭୂତିରେ ଆମ ଜାତି, ମଣିଷ ଜାତି ଆମେ ବିଶ୍ୱରେ ଶାନ୍ତି ଚାହୁଁ ବୋଲି ଦେଶର ମାନଚିତ୍ର, ପଶୁ, ପକ୍ଷୀ ଏସବୁ ବିଷୟ ଧାରଣା ଦେବାସହ ଏମାନଙ୍କର ସମସ୍ତଙ୍କର ଜୀବନ ରହିଛି, ସେମାନଙ୍କ ପ୍ରତି ଦୟା ରହିବା ଦରକାର ବୋଲି ବୁଝାଇଥିଲେ। ପୂଜ୍ୟଶ୍ରୀ କୁମାର ଭାଇଙ୍କ ବିଶ୍ୱଶାନ୍ତି ନିମନ୍ତେ ବାର୍ତା ଏବଂ ସଂଗୀତ ଶୁଣି ମନ୍ତ୍ରମୁଗ୍ଧ ବୋଲି ଆତ୍ମ ପ୍ରକାଶ କରିଥିଲେ। ଦୁଇ ବିଦେଶୀଙ୍କ ସହ ବାର୍ତାଳାପ ବେଶ୍ ଲାଭଦାୟକ ହେବ ବୋଲି ଅନ୍ତେବାସୀମାନେ ମତପ୍ରକାଶ କରିଥିଲେ। ଶୋଭନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡଃ ଅରୁଦ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୈଜ୍ଞାନିକ ଡଃ ସୁବୋଧ ରାଉତରାଏ ଓ ସମ୍ମାନୀତ ଅତିଥିଭାବେ ନିରାକାର ବେଉରା ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପିକା ବରଦା ମହାନ୍ତି, ମମତା ପ୍ରଧାନ, ମନୋରମା ଦେବୀ ଓ ଇଂ ଦୟାନିଧି ରାଉତଙ୍କ ସହ ସମସ୍ତ ଶିକ୍ଷାକର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଦୁଇ ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେମାନଙ୍କୁ ଉଦୟଗିରି ବୌଦ୍ଧପୀଠ, ହୀରକ ତ୍ରିଭୂଜରେ ଅନୁଷ୍ଠିତ ହେଉଥିବା ଗୁରୁ ପଦ୍ମ ସମ୍ଭବ ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ। ନିର୍ଦ୍ଦେଶିକା ଗୁରୁମା ମଝିପଡ଼ାସ୍ଥିତ ଅସ୍ଥାୟୀ ଗୃହରେ ଅବସ୍ଥାନ କରୁଥିବା ବୌଦ୍ଧଭିକ୍ଷୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଜାପାନ ଓ ଅନ୍ୟାନ୍ୟ ସ୍ଥାନର ବୌଦ୍ଧଭିକ୍ଷୁ ଦେଶବିଦେଶର ପର୍ଯ୍ୟଟକ, ପ୍ରଶାସନିକ ଅଧିକାରୀ, ଆଶ୍ରମରେ ରହିବାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଶୋଭାନୀୟ ବାହିନୀ ଦ୍ୱାରା ଶତାଧିକ ଗୁରୁମା ଓ ଛାତ୍ରଛାତ୍ରୀମାନେ ବୌଦ୍ଧପୀଠ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଦୁଇ ଅତିଥିଙ୍କୁ ଗୁରୁୁ ପଦ୍ମ ସମ୍ଭବଙ୍କ ନିମନ୍ତେ ଉତ୍ସର୍ଗୀକୃତ ପୁସ୍ତକ ‘ଯୁବସୂର୍ଯ୍ୟ’ ଓ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ