


ସମ୍ବଲପୁର, ୧୯, ଜାନୁଆରୀ (ହି.ସ.) ପରିବେଶ ସୁରକ୍ଷା ଓ ସୁଧାରିବା ଲକ୍ଷ୍ୟରେ ରାଜ୍ୟ ଠୁଁ ନେଇ କେନ୍ଦ୍ର ସରକାର ବହୁମୁଖି ଯୋଜନା ଓ କଟକଣା ଜାରି କରିଛନ୍ତି । ହେଲେ ଖାଲଖମା ରାସ୍ତାକୁ ଖାମଖିଆଲି ପରିବହନ ବ୍ୟବସ୍ଥା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ରାଜସ୍ବ ବୃଦ୍ଧିରେ ଯଦିଓ ପରିବହନକୁ ଗୁରୁତ୍ବ ଦିଆଯାଉଛି ତେବେ ସର୍ବନିମ୍ନ ନୀତି ନିୟମ ନମାନିବା ପରିବେଶକୁ ନଷ୍ଟ କରିବା ସହ ଅନ୍ୟମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟୁ ଥିବା ଅଭିଯୋଗ ହେଉଛି । ସମ୍ବଲପୁର ସହରର ବ୍ଯସ୍ତ ବହୁଳ ପ୍ରମୁଖ ରାସ୍ତା କହିଲେ ଅଇଁଠାପାଲି ଛକକୁ ବୁଝାଇଥାଏ । ହେଲେ ଏହି ଛକରେ ରାସ୍ତା ଅତିକ୍ରମ କରିବା ଯେତିକି ବିପଦଜନକ ତାହା ଠାରୁ ଅଧିକ ପାଉଁଶ ଓ ବାଲି ଚାଲାଣକାରୀ ଭାରିଯାନର ଖାମଖିଆଲି ନୀତି । ତଳେ ବା ଉପରେ ମାଲର କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ ରାସ୍ତାସାରା ବାଲି ଓ ପାଉଁଶ ଉଡ଼ାଇ ଉଡ଼ାଇ ଯିବା ଦୁଇ ଚକିଆ ଯାନ ଠୁଁ ଆରମ୍ଭ କରି ତିନି ଚକିଆ ଅଟୋ ଓ ଚାଲିଚାଲି ଯାଉଥିବା ଲୋକଙ୍କ ପାଇଁ ମରଣଯନ୍ତା ସୃଷ୍ଟି କରାଉଛି । ରାଜ୍ୟ ସଡ଼କ ପରିବହନ ବିଭାଗ ଏବେ ଯାନ ବାହାନର ପଲ୍ଯୁସନ ସାର୍ଟିଫିକେଟ ପାଇଁ ଯେତିକି ଯତ୍ନବାନ ହେଉଛି, ଏ ଦୀଗରେ ସାମାନ୍ୟତମ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଦିଗରେ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ