କେଳୁଚରଣ କୀର୍ତ୍ତି ଶତକମ୍ : ତିନିଦିନ ଧରି ପାଳନ ହେବ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ
ଗୁରୁଜୀଙ୍କ ସ୍ମୃତି ଚାରଣ ସହ ସଂସ୍କୃତି ବିଭାଗ ପକ୍ଷରୁ ଲୋକାର୍ପିତ ହେବ ଗୁରୁଜୀଙ୍କ ଜୀବନୀକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋଚିତ୍ର ପ୍ରଦର୍ଶନୀ ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗୁରୁଜୀଙ୍କ ଅବଦାନକୁ ନେଇ ଆୟ
କେଳୁଚରଣ କୀର୍ତ୍ତି ଶତକମ୍ : ତିନିଦିନ ଧରି ପାଳନ ହେବ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ


ଗୁରୁଜୀଙ୍କ ସ୍ମୃତି ଚାରଣ ସହ ସଂସ୍କୃତି ବିଭାଗ ପକ୍ଷରୁ ଲୋକାର୍ପିତ ହେବ ଗୁରୁଜୀଙ୍କ ଜୀବନୀକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋଚିତ୍ର ପ୍ରଦର୍ଶନୀ

ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗୁରୁଜୀଙ୍କ ଅବଦାନକୁ ନେଇ ଆୟୋଜିତ ହେବ ଆଲୋଚନା ଚକ୍ର, ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ

ଭୁବନେଶ୍ବର, ୭ ଜାନୁଆରୀ (ହି.ସ.) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସୃଜନ ଅନୁଷ୍ଠାନର ମିଳିତ ସହଯୋଗରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ।

କେଳୁଚରଣ କୀର୍ତ୍ତି ଶତକମ୍ ଶୀର୍ଷକରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀକୁ ନେଇ ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ରବୀନ୍ଦ୍ର ମଣ୍ଡପ ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯିବା ସହିତ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିସହିତ ଗୁରୁଜୀଙ୍କ ଜୀବନୀ, ଓଡ଼ିଶୀ ନୃତ୍ୟ ପ୍ରତି ରହିଥିବା ତାଙ୍କର ଅବଦାନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ନେଇ ନିର୍ମିତ ହୋଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଲୋକାର୍ପଣ କରାଯିବ। ଗୁରୁଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ ଉନ୍ମୋଚନ କରାଯିବ।

ଏଥିସହ ତିନିଦିନ ଧରି ରବୀନ୍ଦ୍ର ମଣ୍ଡପରେ ଗୁରୁଜୀଙ୍କ ଜୀବନୀକୁ ନେଇ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟମାନେ ଗୁରୁଜୀଙ୍କ ସହ ରହିଥିବା ନିଜ ଅନୁଭୂତିକୁ ବାଣ୍ଟିବା ସହ ଓଡ଼ିଶୀ ନୃତ୍ୟର ମୌଳିକତା, ଓଡ଼ିଆ ସଂସ୍କୃତିରେ ଶାସ୍ତ୍ରୀୟ ନୃତ୍ୟର ଭୂମିକା ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ସମ୍ବନ୍ଧରେ ଆଲୋଚନା କରିବେ।

ଗୁରୁଜୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ରତିକାନ୍ତ ମହାପାତ୍ର, ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ପଦ୍ମଶ୍ରୀ ମାଧବୀ ମୁଦ୍‌ଗଲ, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦୀ ଏବଂ ଅନେକ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande