
ସମ୍ବଲପୁର, ୧୦ ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଂଚାୟତ ବନ୍ଧମାଲ ଗ୍ରାମରେ ଗୋପିନାଥ ଝାଙ୍କରଙ୍କ ତତ୍ୱାବଧାନରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଚିଣ୍ଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରାର କ୍ଷେତ୍ର ସହାୟକ ଅକ୍ଷୟ କୁମାର ଦେହୁରୀ ଯୋଗଦେଇ , ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରି ବନ୍ଧମାଲ, ବେଲଗଡ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ଏହି ବୈଠକରେ ଗ୍ରାମର ପ୍ରତ୍ୟେକ ପରିବାରର ପୁରୁଷ ଓ ମହିଳାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ହୋଇଥିଲେ । ବନ୍ଧମାଲ ଗ୍ରାମବାସୀ ବେଲଗଡ ଜଙ୍ଗଲରୁ ସଂଗ୍ରହ କରୁଥିବା ଅଂଚଳର ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଗଲା। ଏଥିରେ କ୍ଷେତ୍ର ସହାୟକ ରମେଶ କୁମୁରା ସହଯୋଗ କରିଥିବାବେଳେ ମୀନକେତନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବନ୍ଧମାଲ ଗ୍ରାମର ଜନସାଧାରଣ ବେଲଗଡ ଜଙ୍ଗଲକୁ ଗୋଷ୍ଠୀଗତ ଅଧିକାର ଓ ସୁରକ୍ଷା କରିବାକୁ ଆଗ୍ରହୀ ଥିବାର ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ