
ନୋଏଡା, ୧୦ ଅକ୍ଟୋବର (ହି.ସ.)। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆଜି ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରସ୍ତାବିତ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗର ପୁଲିସ ସକାଳୁ ସତର୍କ ରହିଛି। ଦିଲ୍ଲୀ ଯାଉଥିବା ରାସ୍ତାଗୁଡ଼ିକରେ ନଜରଦାରି ବଢ଼ାଇ ଦିଆଯାଇଛି। ନୋଏଡାରୁ ଦିଲ୍ଲୀ ଯିବାକୁ ଥିବା ସମସ୍ତ ରାସ୍ତାରେ ବ୍ୟାରିକେଡ୍ ଲଗାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରୁଛି। ଅଧିକାଂଶ ଗାଡ଼ିକୁ ସୀମାରୁ ହିଁ ଫେରାଇ ଦିଆଯାଉଛି। ଆଜି ଦିଲ୍ଲୀର ୪୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି। ଯାତାୟାତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଏହି ପ୍ରଦର୍ଶନ ଯୋଗୁଁ ଏନ୍ସିଆର୍ର ଶିଳ୍ପ, ବାଣିଜ୍ୟ, ଆଇଟି କ୍ଷେତ୍ର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି।
ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀକୁ କାମ କରିବା ପାଇଁ ଯାତାୟାତ କରନ୍ତି। ଦିଲ୍ଲୀର କାରଖାନା, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବିଭିନ୍ନ ମନ୍ତ୍ରଣାଳୟରେ କାମ କରୁଥିବା ଲୋକମାନେ ନୋଏଡାରେ ରହୁଛନ୍ତି। ସେମାନଙ୍କ ଯାତାୟାତ ମଧ୍ୟ ପ୍ରାୟ ବନ୍ଦ ହୋଇଯାଇଛି। ନୋଏଡା ପୁଲିସ ଦିଲ୍ଲୀ ପୁଲିସ ସହ ମିଶି ବିଭିନ୍ନ ସୀମାରେ ବ୍ୟାପକ ଯାଞ୍ଚ ଅଭିଯାନ ଚଳାଇଛି। ଏହି ମଧ୍ୟରେ ଗୌତମ ବୁଦ୍ଧ ନଗର ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ର ଧାରା ୧୬୩କୁ ୧୦ ଦିନ ପାଇଁ ଲାଗୁ କରିଛି।
ଦିଲ୍ଲୀ-ନୋଏଡାର ସମସ୍ତ ସୀମାରେ ବିଳମ୍ବିତ ରାତିରୁ ହିଁ କଟକଣା କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନକାରୀଙ୍କ ଭର୍ତ୍ତି ବସ୍ ସୀମା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅତିରିକ୍ତ ପ୍ରସ୍ତୁତି କରାଯାଇଛି। ବସ୍ ପହଞ୍ଚିଲେ ପୁଲିସ ସେଗୁଡ଼ିକୁ ସେଠାରୁ ହିଁ ଫେରାଇ ଦେବ। ଆଜି କେବଳ ଜରୁରୀକାଳୀନ ସେବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାମ ପାଇଁ ଦିଲ୍ଲୀ ଯାଉଥିବା ଲୋକଙ୍କୁ ଆଗକୁ ଯିବାକୁ ଅନୁମତି ଦିଆଯାଉଛି। ଦିଲ୍ଲୀ ଯିବା ପାଇଁ ଗାଡ଼ି ଚାଳକମାନଙ୍କୁ ଯିବାର ଠୋସ୍ କାରଣ ଦର୍ଶାଇବାକୁ ପଡ଼ୁଛି। ଶୁକ୍ରବାରଠାରୁ ଆଜି ସକାଳ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର ପ୍ରାୟ ୨ ହଜାର ଲୋକଙ୍କୁ ନୋଏଡା ପୁଲିସ ବିଭିନ୍ନ ସ୍ଥାନ ଏବଂ ସେମାନଙ୍କ ଘରେ ନଜରବନ୍ଦ କରିଛି।
ଅତିରିକ୍ତ ପୁଲିସ ଆୟୁକ୍ତ (ଆଇନଶୃଙ୍ଖଳା) ରାଜୀବ ନାରାୟଣ ମିଶ୍ର କହିଛନ୍ତି ଯେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବାହାରୁ ପିଏସିର ଦୁଇଟି କମ୍ପାନୀ ଆସିଛନ୍ତି। ଜିଲ୍ଲାର ନିଜସ୍ୱ ଗୋଟିଏ କମ୍ପାନୀ ମଧ୍ୟ ରହିଛି। ଏହିପରି ପିଏସିର ମୋଟ ତିନୋଟି କମ୍ପାନୀକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି। ସେ କହିଛନ୍ତି ଯେ ପର୍ବପର୍ବାଣୀ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ଧାରା ୧୬୩ ଲାଗୁ କରାଯାଇଛି।
ସେହିପରି ଦିଲ୍ଲୀରେ ପ୍ରଦର୍ଶନ ଯୋଗୁଁ ଦାଦରୀ ରେଳ ଷ୍ଟେସନରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି। ଆଜି ସକାଳୁ ହିଁ ଟିକେଟ୍ ସଂରକ୍ଷଣ କାଉଣ୍ଟର ବନ୍ଦ କରିଦିଆଯାଇଛି। ଏହା ଉପରେ ବୈଷୟିକ ତ୍ରୁଟି ଥିବା ସୂଚନା ଲଗାଯାଇଛି। ପ୍ରୟାଗରାଜରୁ ସକାଳେ ପହଞ୍ଚିବାକୁ ଥିବା ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ କରାଯାଇଛି। ତେବେ ଏହି ବିଷୟରେ ରେଳବାଇର କୌଣସି ଅଧିକାରୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ଷ୍ଟେସନ ମାଷ୍ଟର ହେମନ୍ତ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଷ୍ଟେସନର ଗେଟ୍ ବନ୍ଦ କରାଯାଇନାହିଁ କିମ୍ବା ଯାତ୍ରୀମାନଙ୍କୁ ଅଟକାଯାଉନାହିଁ।
ସିଜେପିର ପ୍ରଦର୍ଶନ ଯୋଗୁଁ ଶନିବାର ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେସନ ଯାତ୍ରୀଙ୍କ ପାଇଁ ବନ୍ଦ ରହିଛି। ତେବେ ନୋଏଡାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଲୋକମାନେ ପ୍ରତିଦିନ ଭଳି ଏଠାକାର ମେଟ୍ରୋ ଷ୍ଟେସନଗୁଡ଼ିକର ବ୍ୟବହାର କରୁଛନ୍ତି। ବ୍ଲୁ ଲାଇନ୍ ଓ ମାଜେଣ୍ଟା ଲାଇନ୍ର ନୋଏଡା ଅଞ୍ଚଳରେ ୧୩ଟି ଷ୍ଟେସନ ରହିଛି। ଅନ୍ୟପକ୍ଷରେ ନୋଏଡାକୁ ଗ୍ରେଟର ନୋଏଡା ସହ ସଂଯୋଗ କରୁଥିବା ଆକ୍ୱା ଲାଇନ୍ରେ ୨୧ଟି ଷ୍ଟେସନ ଅଛି। ନୋଏଡା କିମ୍ବା ନୋଏଡା-ଗ୍ରେଟର ନୋଏଡାକୁ ସଂଯୋଗ କରୁଥିବା କୌଣସି ମେଟ୍ରୋ ଲାଇନ୍ର ଷ୍ଟେସନ ବନ୍ଦ ନକରିବାକୁ ନିଷ୍ପତ୍ତି ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ନୋଏଡା ସୀମା ନିକଟରେ ଥିବା ନ୍ୟୁ ଅଶୋକ ନଗର ଓ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯିବ।
ସିଜେପିର ପ୍ରଦର୍ଶନକୁ ନଜରରେ ରଖି ନୋଏଡା ପୁଲିସ ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ଦୁଇଟି ଟିମ୍ ଗଠନ କରିଛି। ଏହି ଟିମ୍ଗୁଡ଼ିକ ସୋସିଆଲ ମିଡିଆ ପ୍ଲାଟଫର୍ମରେ କରାଯାଉଥିବା ପ୍ରତ୍ୟେକ ପୋଷ୍ଟ ଓ ବାର୍ତ୍ତା ଉପରେ ନଜର ରଖୁଛନ୍ତି। ବିଶେଷକରି ପୁଲିସ ଯେଉଁ ପୋଷ୍ଟଗୁଡ଼ିକୁ ଆପତ୍ତିଜନକ କିମ୍ବା ପରିବେଶ ଅଶାନ୍ତ କରିବା ଭଳି ମନେ କରୁଛି, ସେଗୁଡ଼ିକ ଉପରେ ନଜର ରଖାଯାଉଛି। ଭ୍ରମାତ୍ମକ ସୂଚନା, ଉତ୍ତେଜନାମୂଳକ ବାର୍ତ୍ତା ଓ ଗୁଜବ ପ୍ରସାର ଉପରେ ନଜର ରଖିବା ପୁଲିସର ଉଦ୍ଦେଶ୍ୟ। ଏଭଳି ପୋଷ୍ଟ ସାମ୍ନାକୁ ଆସିଲେ, ତଥ୍ୟ ଯାଞ୍ଚ କରି ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା