
ଧର୍ମଶାଳା,୧୦ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଅନ୍ତର୍ଗତ ଖଣ୍ଡାସଠାରେ ଉତ୍କଳମଣି କ୍ଲବ ପକ୍ଷରୁ ସେବା,ତ୍ୟାମ ଓ ମାନବିକତାର ଅନନ୍ୟ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୯ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି କ୍ରମରେ କ୍ଲବର ସମସ୍ତ ସଭ୍ୟମାନେ ବିଭିନ୍ନ ଅଂଚଳକୁ ସଫେଇ କରିଥିଲେ । ପରେ କ୍ଲବ ପରିସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ଜେନାଙ୍କ ସଭାପତିତ୍ୱରେ ଏହି ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଷ୍ଟପ୍ରତି ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡ.ରାଜକିଶୋର ପାଢୀ,ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ କାମଦେବ ଶତପଥୀ ଓ ସମ୍ମାନୀତ ଅତିଥିଭାବେ ବ୍ରହ୍ମବରଦା ମହାବିଦ୍ୟାଳୟର ଅଧ୍ୟାପିକା ବନଲତା ଲେଙ୍କା,ମଙ୍ଗରାଜପୁର ପଂଚାୟତର ପ୍ରାକ୍ତନ ସରପଂଚ ରାମ ଚନ୍ଦ୍ର ସାହୁ ଓ କବି ନିମାଇଁ ଚରଣ ଦାସ ପ୍ରମୁଖ ଯୋଗ ଦେଇ ଓଡିଶାର ମହାନ ଜନନାୟକ,ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ କ୍ଲବ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କ୍ଲବର ସଭାପତି ନିରଞ୍ଜନ ନାୟକ ଅତିଥି ପରିଚୟ ଓ ରୂପକ ପାଣ୍ଡେ ବାର୍ଷିକ ବିବରଣୀପାଠ କରିଥିବା ବେଳେ ଶିକ୍ଷକ ବିରେନ୍ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳରେ ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ମହିଳା ଓ ପୁରୁଷମାନଙ୍କୁ ଅତିଥିମାନେ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହିମାଂଶୁ ନାୟକ,ପ୍ରଶାନ୍ତ ମୁଦୁଲି,ବୁଲବୁଲ ନାୟକ,ପ୍ରମୋଦ ମଲ୍ଲିକ,ଦଶରଥ ମଲ୍ଲିକ,କ୍ଷେତ୍ରବାସୀ ମଲ୍ଲିକ,ଅହିଂଶୁ ନାୟକ ଓ ଗଙ୍ଗାଧର ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କ୍ଲବର କୋଷାଧ୍ୟକ୍ଷ ଦିପକ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ