
ସୁନ୍ଦରଗଡ଼, ୧୩ ଅକ୍ଟୋବର (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ନିକଟସ୍ଥ ସର୍ଗିଗଡ଼ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଘରୋଇ କମ୍ପାନୀର ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରି ସର୍ଗିଗଡ଼ ଗ୍ରାମ ନିକଟସ୍ଥ ପଡିଆରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତମାନେ । ମୃତକ ହେଉଛନ୍ତି କ୍ରସର ଜଗୁଥିବା ସିକ୍ୟୁରିଟି ଗାର୍ଡ ସନାତନ ମୁଣ୍ଡା । ଗତକାଲି ରାତିରେ ସନାତନ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଆଜି ସକାଳେ ଗ୍ରାମ ନିକଟସ୍ଥ ପଡିଆରୁ ସନାତନଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସର୍ଗିଗଡ଼ ଗ୍ରାମରେ ନୂତନ ଖଣି ଖନନକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିଲା । ପୋଲିସ ଫୋର୍ସ ମୁତୟନ କରାଯାଇ ଖଣି ଖନନ କାର୍ଯ୍ୟ ଚାଲିଥିଲା । ତେବେ ଖଣି ଖନନକୁ କେନ୍ଦ୍ର କରି ସନାତନଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଧରାପଡି ନାହାଁନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ