
ଲକ୍ଷ୍ନୌ, ୧୫ ଅକ୍ଟୋବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଦୁଇଦିନିଆ ଗସ୍ତରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସେ ସଂଘର ପ୍ରାନ୍ତୀୟ କାର୍ଯ୍ୟାଳୟ ଭାରତୀ ଭବନରେ ଆୟୋଜିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ।
ଏହି ବୈଠକରେ ଯୋଗଦେବା ପାଇଁ ପୂର୍ବ ଉତ୍ତରପ୍ରଦେଶ କ୍ଷେତ୍ରର କ୍ଷେତ୍ର ପ୍ରଚାରକ ଅନିଲ, ପଶ୍ଚିମ ଉତ୍ତରପ୍ରଦେଶ କ୍ଷେତ୍ରର କ୍ଷେତ୍ର ପ୍ରଚାରକ ମହେନ୍ଦ୍ର, ସଂଯୁକ୍ତ କ୍ଷେତ୍ର ପ୍ରଚାର ପ୍ରମୁଖ ତଥା ସଂଘ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ପ୍ରଚାରକ କୃପାଶଙ୍କରଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଚାରକମାନଙ୍କୁ ମଧ୍ୟ ଲକ୍ଷ୍ନୌ ଡକାଯାଇଛି।
ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ସୂଚନା ଅନୁଯାୟୀ, ସରକାର୍ଯ୍ୟବାହ ସରକାରଙ୍କ କାର୍ଯ୍ୟଧାରାର ମଧ୍ୟ ସମୀକ୍ଷା କରିବେ ଏବଂ ପ୍ରଚାରକମାନଙ୍କଠାରୁ ମତାମତ ଗ୍ରହଣ କରିବେ।
ସଂଘର ପ୍ରଚାରକମାନଙ୍କ ବୈଠକ ପରେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଧ୍ୟ ବୈଠକ କରିପାରନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା