
ଭୁବନେଶ୍ୱର 20 ଅକ୍ଟୋବର (ହି.ସ.)
ରାଜଧାନୀରେ ଚଳିତବର୍ଷ ରାବଣପୋଡି ଏବଂ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାର ସହ ଆୟୋଜନ କରିବାକୁ କମିଶନରେଟ୍ ପୋଲିସ ଅଣ୍ଟା ଭିଡ଼ିଛି। ଏଥର ୯ ସ୍ଥାନରେ ରାବଣପୋଡି ଆୟୋଜନ ହେବ। ସେହିପରି ଭସାଣ ଉତ୍ସବରେ ଡିଜେ ଭାଜିଲେ ତାହା ଜବତ ହେବ ବୋଲି ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମ୍. ଆଜି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଡିସିପି ବିବେକ୍ ଏମ୍. କହିଛନ୍ତି, ୯ ସ୍ଥାନରେ ରାବଣପୋଡି ପାଇଁ ଅନୁମତି ଦିଆଯିବ ସହ ସୁରକ୍ଷା ଦୃଷ୍ଟିରୁ ଗାଇଡଲାଇନ ମଧ୍ୟ ଦିଆଯାଇଛି। ଆୟୋଜକମାନେ ଗାଇଡଲାଇନ୍ ଅନୁଯାୟୀ ରାବଣପୋଡି ଉତ୍ସବ କରିବେ। ରାବଣପୋଡି ସ୍ଥଳରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ରହିବାକୁ ଦିଆଯିବ ନାହିଁ। ଉକ୍ତ ସ୍ଥାନକୁ ମଜଭୁତ ବାରିକେଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାଣ ରଖାଯାଉଥିବା ଷ୍ଟୋରହାଉସରୁ ପ୍ରାୟ ୨୫୦ ମିଟରରୁ ଅଧିକ ଦୂରତାରେ ରହିବାକୁ ହେବ। ପ୍ରତି ସ୍ଥାନରେ ଦୁଇ ପ୍ଲାଟୁନ ଫୋର୍ସ ରହିବାକୁ ବ୍ୟବସ୍ଥା କରାଯାଇଛି। ସବୁ ସ୍ଥାନରେ ଅଗ୍ନିଶମ ଟିମ୍ ଏବଂ ଇଲେକ୍ଟ୍ରିକାଲ ଟିମ୍ ମଧ୍ୟ ରହିବାକୁ କୁହାଯାଇଛି। କର୍ତ୍ତୃପକ୍ଷଙ୍କୁ ମଧ୍ୟ କୁହାଯାଇଛି ପୋଲିସ ଓ ଅଗ୍ନିଶମ ଟିମକୁ ସହାୟତା କରିବେ।
ସେହିପରି ଭସାଣି ପାଇଁ ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ ସ୍ଥଳୀ କରାଯାଇଛି। ଭସାଣି ଉତ୍ସବ ପାଇଁ ୪୮ ପ୍ଲାଟୁନ ଫୋର୍ସ ଏବଂ ୧୦୦ ଅଫିସର ନିୟୋଜିତ କରାଯିବ। ସେହିଦିନ ଶୀଘ୍ର ଭସାଣ ଉତ୍ସବ କରିବା ସହ ପୋଲିସକୁ ସହାୟତା କରିବାକୁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।
ଭସାଣ ଉତ୍ସଵରେ ଡିଜେ ବାଜିବାକୁ ଅନୁମତି ଦିଆଯାଇନାହିଁ। ଏନେଇ ସବୁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ସହ ଦୁଇଥର ବୈଠକ ହୋଇଥିଲା। ଡିଜେ ବାଜିଲେ ତାହା ଜବତ ହେବ ଏବଂ ଧର୍ତ୍ତବ୍ୟ ମାମଲା ମଧ୍ୟ ରୁଜୁ ହେବ ବୋଲି କୁହାଯାଇଥିଲା। ତେବେ ଏଥର ଡିଜେ ବ୍ୟବହାର ହେବ ନାହିଁ ବୋଲି ପୂଜା କର୍ତ୍ତୃପକ୍ଷମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୋଟିଏ ଗାଡ଼ିରେ ଦୁଇଟି ସ୍ପିକର ଓ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି।
ରାବଣପୋଡ଼ି ହେବାକୁ ଥିବା ୯ ସ୍ଥାନ
- ଭୁବନେଶ୍ବରର ରାବଣପୋଡ଼ି ଆୟୋଜନ ପାଇଁ ଅନୁମତି ଦିଆଯାଇଥିବା ସ୍ଥାନଗୁଡ଼ିକ ହେଲା; ଏୟାରଫିଲ୍ଡ ଥାନା କପିଳପ୍ରସାଦସ୍ଥିତ ଖେଳପଡ଼ିଆ, ନହରକଣ୍ଟା ମିନି ଷ୍ଟାଡିୟମ୍, ବାଙ୍କୁଆଳ ଗାଁସ୍ଥିତ କୁଆଖାଇ ନଦୀ ନିକଟସ୍ଥ ଖୋଲାପଡ଼ିଆ, କୋରଡ଼କଣ୍ଟା ଗାଁସ୍ଥିତ କୁଆଖାଇ ନଦୀ ନିକଟସ୍ଥ ଖୋଲାପଡ଼ିଆ, ଇନ୍ଫୋସିଟି ଥାନା ପଛପାଖ ଖୋଲାପଡ଼ିଆ, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆ, ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର ଖେଳପଡ଼ିଆ, ନନ୍ଦନକାନନସ୍ଥିତ ଗଣ୍ଡରପୁର ପଡ଼ିଆରେ ରାବଣପୋଡ଼ି ଅନୁଷ୍ଠିତ ହେବ। ଏହା ବ୍ୟତୀତ ନୂଆପଲ୍ଲୀସ୍ଥିତ କସ୍ତୁରବା ଖେଳପଡ଼ିଆରେ ମଧ୍ୟ ପ୍ରତୀକାତ୍ମକ ରାବଣ ପୋଡ଼ି କରାଯିବ।
-
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା