
ନୂଆଦିଲ୍ଲୀ, ୨୩ ଅକ୍ଟୋବର (ହି.ସ.)। ଆସନ୍ତା ସପ୍ତାହରେ ହେବାକୁ ଥିବା ବ୍ରିକ୍ସ ସଂସଦୀୟ ଫୋରମ୍ର ଶିଖର ସମ୍ମିଳନୀରେ ଭାରତର ବାର୍ତ୍ତା ହେବ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିଜିଟାଲ୍ ପ୍ରଯୁକ୍ତି କ୍ଷେତ୍ରରେ ମାନବକୈନ୍ଦ୍ରିକ ନବସୃଜନକୁ ପ୍ରୋତ୍ସାହନ ଦେବା। ଏଥିସହ ବିଶ୍ୱର ସମସ୍ତ ସଂସଦକୁ ଜନସାଧାରଣଙ୍କ ନିକଟତର ହେବା ସହ ଲୋକଙ୍କ ଏବଂ ସଂସଦ ମଧ୍ୟରେ ଜୀବନ୍ତ ଓ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଗୁରୁତ୍ୱ ଦେବ। ଏହାଦ୍ୱାରା ସଂସଦୀୟ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ପ୍ରାସଙ୍ଗିକତାକୁ ମଜବୁତ କରାଯାଇପାରିବ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର ଏଠାରେ କିଛି ମନୋନୀତ ସାମ୍ବାଦିକଙ୍କ ସହ ବ୍ରିକ୍ସ ସଂସଦୀୟ ଫୋରମ୍ର ଶିଖର ସମ୍ମିଳନୀ ଆୟୋଜନ ସମ୍ପର୍କରେ ଆଲୋଚନା କରି ଏହି ସୂଚନା ଦେଇଛନ୍ତି।
ଲୋକସଭା ବାଚସ୍ପତି କହିଛନ୍ତି ଯେ, ଆନ୍ତର୍ଜାତୀୟ ଭୂ-ରାଜନୀତିରେ ସଂସଦୀୟ କୂଟନୀତିର ମଧ୍ୟ ବେଶ୍ ଗୁରୁତ୍ୱ ରହିଛି। ସରକାରଙ୍କ ପରିବର୍ତ୍ତେ ବିଭିନ୍ନ ଦେଶର ସଂସଦର ପ୍ରତିନିଧିମାନଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ସେହି ଦେଶଗୁଡ଼ିକର ଜନସାଧାରଣଙ୍କ ଅଧିକ ନିକଟତର ହେବା ସହ ପ୍ରାସଙ୍ଗିକ ହୋଇଥାଏ।
ବିଭିନ୍ନ ଦେଶ ସହ ନିରନ୍ତର ସଂସଦୀୟ ଆଲୋଚନା ଓ ସମ୍ପର୍କ ବଜାୟ ରଖିବା ପାଇଁ ଭାରତ ୬୪ଟି ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କରିଛି। ଏହି ଗୋଷ୍ଠୀଗୁଡ଼ିକ କୂଟନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ‘ଅପରେସନ୍ ସିନ୍ଦୂର’ ସମୟରେ ଏହି ସଂସଦୀୟ ଗୋଷ୍ଠୀଗୁଡ଼ିକ ବିଶ୍ୱବ୍ୟାପୀ ଭାରତର ପକ୍ଷକୁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଥିଲେ। ଏହାର ସକାରାତ୍ମକ ପ୍ରଭାବ ପଡ଼ିଥିଲା ଏବଂ ବିଶ୍ୱ ଜନମତକୁ ପ୍ରଭାବିତ କରିଥିଲା। ଓମ୍ ବିର୍ଲା ଆହୁରି କହିଛନ୍ତି ଯେ, ଭାରତ ଏହି ସଂସଦୀୟ ମୈତ୍ରୀ ଗୋଷ୍ଠୀଗୁଡ଼ିକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ସହ ଆବଶ୍ୟକ ପଡ଼ିଲେ ନୂଆ ସଂସଦୀୟ ମୈତ୍ରୀ ଗୋଷ୍ଠୀ ମଧ୍ୟ ଗଠନ କରିବ।
ଓମ୍ ବିର୍ଲା କହିଛନ୍ତି ଯେ, ଦ୍ୱାଦଶ ବ୍ରିକ୍ସ ସଂସଦୀୟ ଫୋରମ୍ରେ ଚାରିଟି ବିଷୟ—ସହନଶୀଳତା ଓ ଦୃଢ଼ତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ବା ସ୍ଥାୟିତ୍ୱ ଉପରେ ଚାରିଟି ପୃଥକ୍ ଅଧିବେଶନରେ ଆଲୋଚନା ହେବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା