
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। ଟ୍ରେନ୍ଗୁଡ଼ିକର ସୁରକ୍ଷିତ ଓ ନିର୍ଭରଯୋଗ୍ୟ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଉତ୍ତର ରେଳବାଇର ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାକ୍ସନ୍ ପାୱାର କଣ୍ଟ୍ରୋଲର (ଟିପିସି)ଙ୍କ ପାଇଁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନଙ୍କ ବୈଷୟିକ ଦକ୍ଷତା, ପରିଚାଳନା କ୍ଷମତା ଏବଂ ସୁରକ୍ଷା ସମ୍ବନ୍ଧୀୟ ଦକ୍ଷତାକୁ ଅଧିକ ମଜବୁତ କରିବା। ଏହି କ୍ରମରେ ପ୍ରଥମ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ନଭେମ୍ବର ଶେଷ ସୁଦ୍ଧା ଛଅଟି ପର୍ଯ୍ୟାୟରେ ଉତ୍ତର ରେଳବାଇର ସମସ୍ତ ଛଅଟି ମଣ୍ଡଳର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ, ପ୍ରଥମ ପ୍ରଶିକ୍ଷଣ ଶିବିରରେ ଉତ୍ତର ରେଳବାଇର ଜମ୍ମୁ, ଫିରୋଜପୁର, ଅମ୍ବାଲା, ଦିଲ୍ଲୀ, ମୁରାଦାବାଦ ଏବଂ ଲକ୍ଷ୍ନୌ ମଣ୍ଡଳର ୧୪ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଗାଜିଆବାଦସ୍ଥିତ ବିଦ୍ୟୁତ ପ୍ରଶିକ୍ଷଣ କେନ୍ଦ୍ରରେ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣର ପ୍ରଥମ ଦିନରେ ଟିପିସିଙ୍କ ଦାୟିତ୍ୱ, ସ୍କାଡା ବ୍ୟବସ୍ଥା, ଟ୍ରାକ୍ସନ୍ ସବ୍ଷ୍ଟେସନ୍ର ସୁରକ୍ଷା ବ୍ୟବସ୍ଥା ଏବଂ କ୍ଷେତ୍ରୀୟ କର୍ମଚାରୀଙ୍କ ସହ ନିୟନ୍ତ୍ରଣ କେନ୍ଦ୍ରର ସମନ୍ୱୟ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଏହାବ୍ୟତୀତ, ଦିଲ୍ଲୀ ମଣ୍ଡଳର ସ୍କାଡା ଏବଂ ଆରସିସି କେନ୍ଦ୍ର ସମେତ ଚାଣକ୍ୟପୁରୀସ୍ଥିତ ୨୫ କେଭି ଟ୍ରାକ୍ସନ୍ ସବ୍ଷ୍ଟେସନ୍କୁ କର୍ମଚାରୀମାନଙ୍କ କ୍ଷେତ୍ର ପରିଦର୍ଶନ କରାଯାଇଥିଲା।
ଟ୍ରାକ୍ସନ୍ ପାୱାର କଣ୍ଟ୍ରୋଲରମାନେ ବିଦ୍ୟୁତ୍ ଟ୍ରାକ୍ସନ୍ ବ୍ୟବସ୍ଥା ଅଧୀନରେ ୨୫ କେଭି ବିଦ୍ୟୁତ୍ ଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେମାନେ କ୍ଷେତ୍ରୀୟ କର୍ମଚାରୀ ଏବଂ ପରିଚାଳନା ନିୟନ୍ତ୍ରଣ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରିବା ସହିତ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଲେ ସେହି ପରିସ୍ଥିତିର ମୁକାବିଲା କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରେଣୀଗୃହରେ ଶିକ୍ଷାଦାନ, ସିମୁଲେଟର ମାଧ୍ୟମରେ ବ୍ୟବହାରିକ ଅଭ୍ୟାସ ଏବଂ କ୍ଷେତ୍ରୀୟ ପ୍ରଶିକ୍ଷଣକୁ ସାମିଲ କରାଯାଇଛି।
ଅନ୍ୟପକ୍ଷରେ, ପ୍ରଶିକ୍ଷଣର ଦ୍ୱିତୀୟ ଦିନରେ ସ୍କାଡା ପ୍ରଶିକ୍ଷଣ ସିମୁଲେଟର ମାଧ୍ୟମରେ ବ୍ୟବହାରିକ ଅଭ୍ୟାସ କରାଯାଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ ସାଧାରଣ ପରିଚାଳନାଗତ ପରିସ୍ଥିତି ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାର ଅଭ୍ୟାସ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା