
ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)। ମହର୍ଷି ବାଲ୍ମୀକି ଜୟନ୍ତୀ ଅବସରରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ମହର୍ଷି ବାଲ୍ମୀକିଙ୍କ ଦ୍ୱାରା ରଚିତ ମହାକାବ୍ୟ ‘ରାମାୟଣ’ରୁ ଆମେ କର୍ତ୍ତବ୍ୟ, ସଦାଚାର, ନିଃସ୍ୱାର୍ଥପର କର୍ମ, ପରୋପକାର, ବନ୍ଧୁତା, ତ୍ୟାଗ, ଧର୍ମ ଓ ଭକ୍ତିର ଶିକ୍ଷା ସହଜରେ ପାଇଥାଉ। ଏହି ମହାନ ଗ୍ରନ୍ଥର ଚିରନ୍ତନ ମୂଲ୍ୟବୋଧ ଆମ ଜୀବନ ଉପରେ ଅମିଟ ଛାପ ଛାଡ଼ିଥାଏ। ମୋର କାମନା ଯେ, ସମସ୍ତ ଦେଶବାସୀ ରାମାୟଣରେ ବର୍ଣ୍ଣିତ ଆଦର୍ଶଗୁଡ଼ିକୁ ଆପଣାଇ ନିଜର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ନିରନ୍ତର ପ୍ରଗତି ପଥରେ ଆଗକୁ ବଢ଼ନ୍ତୁ।”
ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ କହିଛନ୍ତି ଯେ ଆଦିକବି ମହର୍ଷି ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣ ଭାରତୀୟ ସଂସ୍କୃତି ଓ ସଭ୍ୟତାଗତ ମୂଲ୍ୟବୋଧର ଏକ ଅମୂଲ୍ୟ ଐତିହ୍ୟ। ଏଥିରେ ଥିବା ସତ୍ୟ, କର୍ତ୍ତବ୍ୟ, ତ୍ୟାଗ, କରୁଣା ଓ ଧର୍ମର ଆଦର୍ଶ ଆଜି ମଧ୍ୟ ମାନବତାକୁ ମାର୍ଗଦର୍ଶନ କରୁଛି। ତାଙ୍କ ଶିକ୍ଷା ସମସ୍ତଙ୍କୁ ସର୍ବଦା ନୈତିକ ମୂଲ୍ୟବୋଧ ଆପଣାଇବା ସହ ଏକ ସୌହାର୍ଦ୍ଦପୂର୍ଣ୍ଣ, ସମ୍ବେଦନଶୀଳ ଓ ସଶକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଉଥିବ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ମହର୍ଷି ବାଲ୍ମୀକି ରାମାୟଣ ମାଧ୍ୟମରେ ସତ୍ୟ, ଧର୍ମ, ସମ୍ମାନ, କର୍ତ୍ତବ୍ୟ ଓ ତ୍ୟାଗ ଭଳି ମୂଲ୍ୟବୋଧକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ। ମହର୍ଷି ବାଲ୍ମୀକିଙ୍କ ଜୀବନ ଶିଖାଏ ଯେ ଆତ୍ମଚିନ୍ତନ, ଭକ୍ତି ଓ ଜ୍ଞାନ ମାଧ୍ୟମରେ ଯେକୌଣସି ବ୍ୟକ୍ତି ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ତାଙ୍କ କାର୍ଯ୍ୟ ଓ ବିଚାର ସର୍ବଦା ସମସ୍ତଙ୍କୁ ମାର୍ଗଦର୍ଶନ କରୁଥିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଦିକବି ମହର୍ଷି ବାଲ୍ମୀକି ନିଜର ଅମର ରଚନା ‘ରାମାୟଣ’ ମାଧ୍ୟମରେ ଭଗବାନ ଶ୍ରୀରାମଙ୍କ ଆଦର୍ଶ, ସତ୍ୟ, ଧର୍ମ ଓ ଲୋକକଲ୍ୟାଣର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ। ତାଙ୍କ ରଚନା ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟବୋଧ ଓ ମାନବୀୟ ସମ୍ବେଦନାର ଏକ ଅମୂଲ୍ୟ ଭଣ୍ଡାର। ସମାଜକୁ ସଦାଚାର, ସଦ୍ଭାବନା ଓ ଆଦର୍ଶ ଜୀବନଯାପନ ପାଇଁ ପ୍ରେରଣା ଦେଉଥିବା ମହର୍ଷି ବାଲ୍ମୀକିଙ୍କୁ ସେ ଶତ ଶତ ପ୍ରଣାମ ଜଣାଇଛନ୍ତି।
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତପସ୍ୟା, ଜ୍ଞାନ ଓ କରୁଣାର ପ୍ରତୀକ ମହର୍ଷି ବାଲ୍ମୀକି ରାମାୟଣ ମାଧ୍ୟମରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜୀବନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ। ଏହିପରି ଭାବେ ସେ ସମଗ୍ର ମାନବଜାତିକୁ କର୍ତ୍ତବ୍ୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥିଲେ। ତାଙ୍କର ଏହି ଅନନ୍ୟ ଅବଦାନ ପାଇଁ ମାନବ ସମାଜ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ।
ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର କହିଛନ୍ତି ଯେ ସତ୍ୟ, କରୁଣା ଓ ନୈତିକ ଆଚରଣ ସମ୍ପର୍କରେ ମହର୍ଷି ବାଲ୍ମୀକିଙ୍କ ଚିରନ୍ତନ ଶିକ୍ଷା ସର୍ବଦା ସମସ୍ତଙ୍କୁ ପ୍ରେରଣା ଦେଉଥିବ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ମହାକାବ୍ୟ ‘ରାମାୟଣ’ର ରଚୟିତା ତଥା ଆଦିକବି ମହର୍ଷି ବାଲ୍ମୀକି ସମଗ୍ର ମାନବଜାତିକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଚରିତ୍ର ସହ ପରିଚିତ କରାଇଥିଲେ। ତାଙ୍କର ପବିତ୍ର ବିଚାର ସମସ୍ତଙ୍କୁ ଶୁଦ୍ଧ ଆଚରଣ ସହ ସଂଯମ, ସତ୍ୟ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବାକୁ ଶିକ୍ଷା ଦିଏ ଏବଂ ଭବିଷ୍ୟତରେ ମଧ୍ୟ ଏହି ଆଦର୍ଶ ଅନୁସରଣ କରିବାକୁ ପ୍ରେରଣା ଯୋଗାଏ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା