

ଫିରୋଜାବାଦ, ୨୬ ଅକ୍ଟୋବର (ହି.ସ.)। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ନସୀରପୁର ଥାନା ଅଞ୍ଚଳ ଅନ୍ତର୍ଗତ ଛଟନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟେଶୁ-ଝିଝିଆଙ୍କ ବିବାହ ପରେ ବିସର୍ଜନ ପାଇଁ ଯାଉଥିବା ଗ୍ରାମବାସୀଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ନାବାଳିକାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶରଦ ପୂର୍ଣ୍ଣିମା ଅବସରରେ ଛଟନପୁର ଗାଁରେ ଟେଶୁ-ଝିଝିଆଙ୍କ ବିବାହ ପରେ ବିଳମ୍ବିତ ରାତିରେ ଗାଁର ଝିଅମାନେ ରାସ୍ତାକଡ଼ରେ ଥିବା ଏକ କୂଅରେ ଟେଶୁ-ଝିଝିଆଙ୍କ ବିସର୍ଜନ କରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର୍ ରାସ୍ତାକଡ଼ରେ ଠିଆ ହୋଇଥିବା ଝିଅମାନଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାର୍ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗ୍ରାମବାସୀମାନେ କାର୍ଟିର ପିଛା କରି ତାକୁ ଘେରି ଅଟକାଇବାକୁ ଚେଷ୍ଟା କରିବାରୁ ଚାଳକ ପୁଣିଥରେ ଲୋକଙ୍କୁ ଧକ୍କା ଦେଇଥିଲେ। ଏହାପରେ ସେ ପୁଣି କାର୍ ନେଇ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଗ୍ରାମବାସୀମାନେ ଘେରାଉ କରି କାର୍ଟିକୁ ଅଟକାଇଥିଲେ ଏବଂ ଗାଡ଼ିରେ ଥିବା ଚାରି ଜଣଙ୍କୁ ଧରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଆହୁରି ଅନେକ ଲୋକ ଆହତ ହୋଇଥିଲେ।
ଅନ୍ୟପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ଡାକ୍ତରମାନେ ଆକାଂକ୍ଷା (୧୫), ଅଞ୍ଜଳି (୧୫), ଦୀପିକା (୧୯) ଏବଂ ହରିଶ ଓରଫ ସୋନୁ (୨୫)ଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଚନ୍ଦ୍ରବୀର, ଉମାଶଙ୍କର, ଧୀରଜ, ସୋନୁ, ମୟଙ୍କ, ପୂଜା, ମୋହିନୀ, ସୁମନଙ୍କ ସମେତ ଅନ୍ୟମାନେ ଅଛନ୍ତି। କାର୍ରେ ଦିଲ୍ଲୀର ବାସିନ୍ଦା ଇରଫାନ, ଗୁଫରାନ, ଦେବେଶ ଏବଂ ଜଗଦୀଶ ଥିଲେ। ପୁଲିସ ସେମାନଙ୍କୁ ହେପାଜତକୁ ନେଇଛି।
ଜିଲ୍ଲାପାଳ ସନ୍ତୋଷ କୁମାର ଶର୍ମା ଏବଂ ବରିଷ୍ଠ ପୁଲିସ ଅଧୀକ୍ଷକ ଆଦିତ୍ୟ ଲାଙ୍ଘେଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନେ ପୀଡ଼ିତ ପରିବାରକୁ ସହାୟତା ଏବଂ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାର ଆଶ୍ୱାସନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଠ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରୟାସ କରାଯିବ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଦୁଇ ଜଣ ବୟସ୍କ ଏବଂ ଦୁଇ ଜଣ ନାବାଳିକାଙ୍କ ସମେତ ମୋଟ ଚାରି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା