ନେପାଳର ମୁକ୍ତିନାଥ ମନ୍ଦିରରେ ଭାରତୀୟ ତୀର୍ଥଯାତ୍ରୀଙ୍କ ଭିଡ
କାଠମାଣ୍ଡୁ, ୨୬ ଅକ୍ଟୋବର (ହି.ସ.)। ନେପାଳର ପ୍ରମୁଖ ରାଜପଥଗୁଡ଼ିକ ପୁନର୍ବାର ସ୍ୱାଭାବିକ ଭାବେ ଚାଲୁ ହେବା ପରେ ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଅନ୍ୟତମ ମୁକ୍ତିନାଥ ମନ୍ଦିରକୁ ଭାରତୀୟ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରମୁଖ ଆସ୍ଥାକେନ୍ଦ୍ର ମୁକ୍ତିନାଥ ମ
मुक्तिनाथ मंदिर में क्यूआर सुविधा की शुरुआत


କାଠମାଣ୍ଡୁ, ୨୬ ଅକ୍ଟୋବର (ହି.ସ.)। ନେପାଳର ପ୍ରମୁଖ ରାଜପଥଗୁଡ଼ିକ ପୁନର୍ବାର ସ୍ୱାଭାବିକ ଭାବେ ଚାଲୁ ହେବା ପରେ ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଅନ୍ୟତମ ମୁକ୍ତିନାଥ ମନ୍ଦିରକୁ ଭାରତୀୟ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରମୁଖ ଆସ୍ଥାକେନ୍ଦ୍ର ମୁକ୍ତିନାଥ ମନ୍ଦିରରେ ଗତ ଏକ ମାସ ଧରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ୍ କମ୍ ରହିଥିଲା। କିନ୍ତୁ ଏବେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ମୁସ୍ତାଙ୍ଗ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ରାଜପଥ ସ୍ୱାଭାବିକ ହେବା ପରଠାରୁ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ପ୍ରାୟ ୧୦ ହଜାରରୁ ୧୨ ହଜାର ଭାରତୀୟ ଶ୍ରଦ୍ଧାଳୁ ମୁକ୍ତିନାଥ ମନ୍ଦିରରେ ଦର୍ଶନ କରିଛନ୍ତି।

ଜିଲ୍ଲା ପୁଲିସ କାର୍ଯ୍ୟାଳୟର ପୁଲିସ ନିରୀକ୍ଷକ ତଥା ସୂଚନା ଅଧିକାରୀ ଈଶ୍ୱର ମହତ କହିଛନ୍ତି ଯେ, ନେପାଳରେ ବନ୍ୟା ଓ ଭୂସ୍ଖଳନ ପରେ ମୁକ୍ତିନାଥକୁ ଯାଉଥିବା ସଡ଼କ ମାର୍ଗ ବନ୍ଦ ହୋଇଯାଇଥିଲା। ଫଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମିଯାଇଥିଲା। କିନ୍ତୁ ଗତ ଏକ ସପ୍ତାହ ହେବ ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ନିଜସ୍ୱ ଗାଡ଼ିରେ ପୋଖରା ଦେଇ ମୁକ୍ତିନାଥରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି। ଏବେ ପ୍ରତିଦିନ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି।

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ବେନି-ଜୋମସୋମ୍ ସଡ଼କ ନଷ୍ଟ ହୋଇଯାଇଥିଲା। ଏହାଫଳରେ ଏହି ରାସ୍ତା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପ୍ରତିବର୍ଷ ପିତୃପକ୍ଷ ବା ସୋହ୍ରଶ୍ରାଦ୍ଧ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମୁସ୍ତାଙ୍ଗ ଜିଲ୍ଲାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହେବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ମୁସ୍ତାଙ୍ଗରେ ପହଞ୍ଚି ପାରିନଥିଲେ।

ମୁକ୍ତିନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବା ସହ ବେନି-ଜୋମସୋମ୍ ସଡ଼କ ପାର୍ଶ୍ୱରେ ଥିବା ହୋଟେଲ ଓ ଅନ୍ୟାନ୍ୟ ରହଣି ସୁବିଧାଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏଥିସହ ମୁସ୍ତାଙ୍ଗକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରୁ ସ୍ଥାନୀୟ କୃଷିଜାତ ଦ୍ରବ୍ୟର ଚାହିଦା ମଧ୍ୟ ବଢ଼ିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande