
ମୁମ୍ବାଇ, ଅକ୍ଟୋବର ୨୯ (ହି.ସ)। ମହାରାଷ୍ଟ୍ର ବିଧାନ ପରିଷଦର ପାଞ୍ଚଟି ଶିକ୍ଷକ ଓ ସ୍ନାତକ ନିର୍ବାଚନମଣ୍ଡଳୀ ଆସନ ପାଇଁ ହୋଇଥିବା ନିର୍ବାଚନରେ ମହାବିକାଶ ଆଘାଡ଼ି (ଏମ୍ଭିଏ) ତିନୋଟି ଆସନରେ ବିଜୟ ହାସଲ କରିଥିବାବେଳେ ମହାୟୁତି ଦୁଇଟି ଆସନ ପାଇଛି। ଏହି ପାଞ୍ଚଟି ଆସନ ପାଇଁ ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ବୁଧବାର ରାତି ୧ଟା ୩୦ ମିନିଟ୍ରେ ଶେଷ ହୋଇଥିଲା।
ମତଦାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୁଣେ ଶିକ୍ଷକ ନିର୍ବାଚନମଣ୍ଡଳୀରୁ ବିଜେପିର କୌସ୍ତୁଭ ଗାୱଡ଼େ ବିଜୟୀ ହୋଇଛନ୍ତି। ସେହିପରି ପୁଣେ ସ୍ନାତକ ନିର୍ବାଚନମଣ୍ଡଳୀରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପୱାର)ର ପ୍ରାର୍ଥୀ ହର୍ଷଦା ଦେଶମୁଖ ବିଜୟୀ ହୋଇଛନ୍ତି।
ନାଗପୁର ସ୍ନାତକ ଆସନରେ କଂଗ୍ରେସର ଅଭିଜିତ ବଞ୍ଜାରୀ ବିଜେପିର ସୁଧାକର କୋହଲେଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ, ଛତ୍ରପତି ସମ୍ଭାଜୀନଗର ଆସନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପୱାର)ର ପ୍ରତାପସିଂହ ପାଟିଲ, ଅଜିତ ପୱାର ଗୋଷ୍ଠୀର ସତୀଶ ଚଭାଣଙ୍କୁ ପରାସ୍ତ କରିଛନ୍ତି। ଅମରାବତୀ ଶିକ୍ଷକ ନିର୍ବାଚନମଣ୍ଡଳୀରେ ଶିବସେନା (ସିନ୍ଦେ ଗୋଷ୍ଠୀ)ର କିରଣ ସରନାଇକ କଂଗ୍ରେସ ପ୍ରାର୍ଥୀ ଅଦିତି ପୋହରେଙ୍କୁ ହରାଇଛନ୍ତି।
ପୁଣେ ସ୍ନାତକ ନିର୍ବାଚନମଣ୍ଡଳୀରେ ହର୍ଷଦା ଦେଶମୁଖ ଏବଂ ବିଜେପି ପ୍ରାର୍ଥୀ ଡାକ୍ତର ସ୍ମିତା ଯାଦବଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଅକ୍ଟୋବର ୨୭ ତାରିଖ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା ଏବଂ ଏହା ୩୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।
ପ୍ରଥମ ପସନ୍ଦର ଭୋଟ୍ ଆଧାରରେ କୌଣସି ପ୍ରାର୍ଥୀ ବିଜୟ ପାଇଁ ଆବଶ୍ୟକ ନିର୍ଦ୍ଧାରିତ କୋଟା ହାସଲ କରିପାରି ନଥିଲେ। ଏହାପରେ ନିୟମ ଅନୁଯାୟୀ ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟ୍ ଗଣତି କରାଯାଇଥିଲା।
ଏହି ନିର୍ବାଚନମଣ୍ଡଳୀରେ ବିଜୟ ପାଇଁ ୧,୧୩,୧୧୩ ଭୋଟ୍ର କୋଟା ଧାର୍ଯ୍ୟ କରାଯାଇଥିଲା। ଶେଷ ଅର୍ଥାତ୍ ୪୪ତମ ପର୍ଯ୍ୟାୟ ଗଣତି ପରେ ହର୍ଷଦା ଦେଶମୁଖ ୧,୧୩,୮୪୦ ଭୋଟ୍ ପାଇଥିବାବେଳେ ଡାକ୍ତର ସ୍ମିତା ଯାଦବଙ୍କୁ ୧,୦୩,୯୧୨ ଭୋଟ୍ ମିଳିଥିଲା। ଏହିପରି ହର୍ଷଦା ଦେଶମୁଖ ୯,୯୨୮ ଭୋଟ୍ର ବ୍ୟବଧାନରେ ବିଜୟ ହାସଲ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା