କୁରେମାଲ ଓ ବାଘମୁଣ୍ଡା ପାନ୍ଥନିବାସ ସୁବିଧା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
Collector visit to different pantha nivas
କୁରେମାଲ ଓ ବାଘମୁଣ୍ଡା ପାନ୍ଥନିବାସ ସୁବିଧା କେନ୍ଦ୍ର ପରିଦର୍ଶନ


ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ଏବଂ ବାଘମୁଣ୍ଡା ସ୍ଥିତ ପାନ୍ଥନିବାସ ସୁବିଧା କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟଧାରାର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଲଖନପୁର ତହସିଲଦାର ପ୍ରସନ୍ନ କୁମାର ପଟେଲ, ରାଜସ୍ୱ ପରିଦର୍ଶକ ଏବଂ ଗୋବିନ୍ଦପୁର ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ଉପସ୍ଥିତ ଥିଲେ।

କୁରେମାଲ ସ୍ଥିତ ପାନ୍ଥନିବାସ କେନ୍ଦ୍ର ପରିଦର୍ଶନ ବେଳେ ଜିଲ୍ଲାପାଳ କେନ୍ଦ୍ର ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ କେନ୍ଦ୍ରର ରୋଷେଇଶାଳା ଓ ଦୋକାନ ବନ୍ଦ ରହିଥିବା ଦେଖିବା ସହିତ ନିୟୋଜିତ ସୁରକ୍ଷାକର୍ମୀ କାର୍ଯ୍ୟରୁ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ କରି କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ, ବାଘମୁଣ୍ଡା ସ୍ଥିତ ପାନ୍ଥନିବାସ ସୁବିଧା କେନ୍ଦ୍ର ପରିଦର୍ଶନ କରି ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସେଠାରେ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ସେ ବ୍ୟବସାୟର ସ୍ଥିତି, ଖାଦ୍ୟର ଗୁଣବତ୍ତା ଏବଂ କେନ୍ଦ୍ର ଖୋଲା ରହିବା ସମୟ ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାହକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଖାଦ୍ୟର ଉଚ୍ଚ ମାନ ଓ ଉତ୍ତମ ବ୍ରାଣ୍ଡିଂ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହା ସହିତ ରାତ୍ରିକାଳୀନ ଯାତ୍ରୀମାନଙ୍କ ସୁବିଧା ପାଇଁ ପୁରୁଷ କର୍ମଚାରୀ ନିୟୋଜିତ କରି କେନ୍ଦ୍ରକୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରଖିବା ଦିଗରେ ପଦକ୍ଷେପ ନେବାକୁ ସେ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande