
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ଏବଂ ଡିଜେଲ୍ ଜେନେରେଟର (ଡିଜି) ସେଟ୍ରୁ ନିର୍ଗତ ପ୍ରଦୂଷଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଆଠ ଜଣିଆ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛି। ଏହି ଗୋଷ୍ଠୀ ଡିଜି ସେଟ୍ ସମ୍ପର୍କିତ ବର୍ତମାନର ନିୟାମକ ବ୍ୟବସ୍ଥା ଏବଂ ନିର୍ଗମନ ମାନଦଣ୍ଡର ସମୀକ୍ଷା କରିବ। ଏଥିସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଉପକରଣ ଓ ପ୍ରଯୁକ୍ତିର ପ୍ରଭାବଶୀଳତା ମଧ୍ୟ ଆକଳନ କରିବ।
ସିଏକ୍ୟୁଏମ୍ର ସଦସ୍ୟ-ବୈଷୟିକ ଡ. ତ୍ରିଲୋକ ସିଂହ ପଁୱାରଙ୍କୁ ଏହି ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ କରାଯାଇଛି। ଏହି ଗୋଷ୍ଠୀରେ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅମିତ ପାଲ୍, ଆଇଆଇଟି ଦିଲ୍ଲୀର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଫେସର କେ.ଏ. ସୁବ୍ରମଣ୍ୟମ୍ ଏବଂ ଆଇଆଇଟି ବମ୍ବେର ଆସୋସିଏଟ୍ ପ୍ରଫେସର ଏ.କେ. ସାରଙ୍ଗୀଙ୍କୁ ସାମିଲ କରାଯାଇଛି।
ଏହାବ୍ୟତୀତ ଇଣ୍ଟରନ୍ୟାସନାଲ୍ ସେଂଟର ଫର୍ ଅଟୋମୋଟିଭ୍ ଟେକ୍ନୋଲୋଜି (ଆଇସିଏଟି)ର ମୁଖ୍ୟ ପରିଚାଳନା ଅଧିକାରୀ ଏସ୍. ଚନ୍ଦ୍ରଶେଖର ପ୍ରସାଦ, ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଆରଏଆଇ)ର ବରିଷ୍ଠ ଉପନିର୍ଦ୍ଦେଶକ ସୁକୃତ ଥିପ୍ସେ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ବୈଜ୍ଞାନିକ-ଡି ଡ. ସି.କେ. ଦୀକ୍ଷିତ ସଦସ୍ୟ ରହିବେ। ସିଏକ୍ୟୁଏମ୍ର ବୈଜ୍ଞାନିକ-ଇ ଆର ପି. ଗୁରୁଙ୍ଗଙ୍କୁ ଗୋଷ୍ଠୀର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।
ବିଶେଷଜ୍ଞ ଗୋଷ୍ଠୀକୁ ଡିଜି ସେଟ୍ ସମ୍ପର୍କିତ ବର୍ତମାନର ନିୟାମକ ବ୍ୟବସ୍ଥାର ସମୀକ୍ଷା କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ଦୃଷ୍ଟିରୁ ବର୍ତମାନର ନିର୍ଗମନ ମାନଦଣ୍ଡ ଯଥେଷ୍ଟ କି ନୁହେଁ, ତାହା ଆକଳନ କରିବାର ଦାୟିତ୍ୱ ଦିଆଯାଇଛି। ଏହାବ୍ୟତୀତ ରେଟ୍ରୋଫିଟେଡ୍ ଏମିସନ୍ କଣ୍ଟ୍ରୋଲ୍ ଡିଭାଇସ୍ (ଆର୍ଇସିଡି) ଏବଂ ଡୁଆଲ୍ ଫ୍ୟୁଏଲ୍ କିଟ୍ (ଡିଏଫ୍କେ)ର ବିଭିନ୍ନ ବର୍ଗର ପ୍ରଭାବଶୀଳତା ଓ କାର୍ଯ୍ୟକ୍ଷମତାର ମଧ୍ୟ ଯାଂଚ କରିବ।
ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଡିଜି ସେଟ୍ରୁ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବର୍ତମାନର ବୈଷୟିକ ଓ ନିୟାମକ ପଦକ୍ଷେପଗୁଡ଼ିକର ଆକଳନ କରିବା ଏବଂ ସେଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ