
ଆସିକାର କେନ୍ଦ୍ରୀୟ ବିଦ୍ୟାଳୟରେ ଅସ୍ଥାୟୀ ହସ୍ପିଟାଲ ଆରମ୍ଭ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତିଭୂମିର ପୁନରୁଦ୍ଧାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।
ବନ୍ୟା ପରବର୍ତୀ ସମୟରେ ସ୍ୱାସ୍ଥ୍ୟସେବାର ସ୍ୱାଭାବିକୀକରଣ, ହସ୍ପିଟାଲଗୁଡ଼ିକର କାର୍ଯ୍ୟକ୍ଷମତା, ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା, ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟୁତ୍, ପାନୀୟ ଜଳ ଓ ଟେଲିକମ୍ ସେବାର ପୁନରୁଦ୍ଧାର ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର କୌଣସି ରୋଗୀ ଯେପରି ଚିକିତ୍ସା ସୁବିଧାରୁ ବଂଚିତ ନହୁଅନ୍ତି, ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ।
ଏହି ଗସ୍ତ ସମୟରେ ମନ୍ତ୍ରୀ ଉପଖଣ୍ଡ ଚିକିତ୍ସାଳୟ, ଆସିକା ପରିଦର୍ଶନ କରି ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସେବା, ରୋଗୀଙ୍କ ପାଇଁ ରହିଥିବା ସୁବିଧାସୁଯୋଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି, ହସ୍ପିଟାଲ ପରିସରର ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯାଂଚ କରିଥିଲେ। ବିଶେଷକରି ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ଓ ସାଧାରଣ ବର୍ଜ୍ୟବସ୍ତୁର ପୃଥକୀକରଣ, ନିୟମିତ ସଫେଇ ଓ ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଜରୁରୀକାଳୀନ ଚିକିତ୍ସା, ଅପରେସନ୍, ଲାବୋରେଟୋରୀ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।
ଆସିକାଠାରେ କେନ୍ଦ୍ରୀୟ ବିଦ୍ୟାଳୟ (କଠ) ଓ ମହିଳା ମହାବିଦ୍ୟାଳୟରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମହିଳା ମହାବିଦ୍ୟାଳୟରେ ଚିକିତ୍ସା ଆରମ୍ଭ ହୋଇଛି ।
ଏଥିସହ ବନ୍ୟା ପ୍ରଭାବିତ ଦୁର୍ଗମ ଓ ଜଳବନ୍ଦୀ ଅଂଚଳରେ ରହୁଥିବା ଲୋକଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଅତିରିକ୍ତ ୨୧ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ନିୟୋଜନ ହେବ । ଏଥିପାଇଁ ପଡ଼ୋଶୀ ଜିଲ୍ଲାରୁ ଅତିରିକ୍ତ ମୋବାଇଲ୍ ହେଲ୍ଥ ୟୁନିଟ୍ ଓ ଡାକ୍ତରୀ ଦଳ ଅଣାଯାଇ ପ୍ରଭାବିତ ଅଂଚଳରେ ନିୟୋଜିତ କରାଯିବ।
ବନ୍ୟା ପ୍ରଭାବିତ ଲୋକଙ୍କୁ ଉନ୍ନତ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିନିମନ୍ତେ ୫ଟି ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ହାଇଟେକ , ଆପୋଲୋ, ସମ, ବିକାଶ ଏବଂ ମହାନଦୀ ନେତ୍ରାଳୟ )ର ସହଯୋଗ ଓ ଚିକିତ୍ସା ସେବା ଯୋଗାଣ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ସେମାନେ ଆସନ୍ତା କାଲି ସୁଦ୍ଧା ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇଦେବେ । ବିପର୍ଯ୍ୟୟ ସମୟରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ରହିଲେ ପ୍ରଭାବିତ ଲୋକଙ୍କୁ ଅଧିକ ଦ୍ରୁତ ଓ ଉପଯୁକ୍ତ ଚିକିତ୍ସା ସହାୟତା ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହାପରେ ମନ୍ତ୍ରୀ ଜଗମୋହନ ଓ ଜାହାଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ବନ୍ୟା ପରବର୍ତୀ ସ୍ଥିତି, ଚିକିତ୍ସା ସେବାର ଉପଲବ୍ଧତା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ମହଜୁଦ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ ରହିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରଭାବିତ ଅଂଚଳରେ ମୋବାଇଲ୍ ନେଟୱର୍କ ଓ ଟେଲିକମ୍ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସେହିପରି ପାନୀୟ ଜଳଯୋଗାଣ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଥିଲେ।
ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତି ଭାସନ ଭି, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବ୍ରହ୍ମପୁର ସିଡିଏମ୍ଓ ଡ. କାମେଶ୍ୱର ରାଓ, ଅତିରିକ୍ତ ନିର୍ଦ୍ଦେଶକ ଡ. ସୁଭାଶିଷ ମହାନ୍ତି, ଫୁଡ଼ ସେଫଟି ନିର୍ଦ୍ଦେଶକ ସଞ୍ଜୟ ରାୟ , ଓକାକ ଟେଲିକମ ଆଡଭାଇଜର ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା