
Jharsuguda, 20 ନଭେମ୍ବର (ହି.ସ.)
Writing
କାରଖାନା ବନ୍ଦ ଦାବିରେ ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
କୋଲାବିରା: ଶିଳ୍ପଜନିତ ପ୍ରଦୂଷଣକୁ ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସିରିଆପାଲି ଗ୍ରାମରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଉତ୍କଳ ହାଇଡ୍ରୋ କାର୍ବନ କେମିକାଲ କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଓ ପ୍ରଦୂଷଣରେ ଅତିଷ୍ଠ ହୋଇ ଶୁକ୍ରବାର ସକାଳୁ ଶତାଧିକ ଗ୍ରାମବାସୀ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନଚେତ୍ ଗ୍ରାମବାସୀଙ୍କୁ ସାମୂହିକ ଭାବେ ବିସ୍ଥାପନ କରିବାକୁ ସେମାନେ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ହେଲା ଏହି କାରଖାନା ଚାଲୁଥିବା ବେଳେ ଏଥିରୁ ନିର୍ଗତ ଉତ୍କଟ ରାସାୟନିକ ଦୁର୍ଗନ୍ଧ ଯୋଗୁଁ ଗ୍ରାମବାସୀ ଅତ୍ୟନ୍ତ ଅସୁବିଧାରେ ପଡ଼ୁଛନ୍ତି। କାରଖାନାରୁ ନିର୍ଗତ ରାସାୟନିକ ମିଶ୍ରିତ ପାଣି ନିକଟସ୍ଥ ନାଳରେ ମିଶିବା ଫଳରେ ନାଳ ଜଳ ପ୍ରଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ସେହିପରି କାରଖାନାରୁ ବାହାରୁଥିବା ଧୂଆଁ ଓ ବାଷ୍ପ ଯୋଗୁଁ ଗ୍ରାମର ବିଭିନ୍ନ ଜଳାଶୟର ପାଣି ଉପରେ ତୈଳଯୁକ୍ତ ଆସ୍ତରଣ ଜମି ରହୁଥିବା ଅଭିଯୋଗ ହୋଇଛି।
ଏହି କାରଖାନା ଜାତୀୟ ରାଜପଥ-୪୯ ପାର୍ଶ୍ୱରେ ଅବସ୍ଥିତ ଥିବାରୁ ଯାତ୍ରୀମାନେ ମଧ୍ୟ ଦୁର୍ଗନ୍ଧ ଯୋଗୁଁ ଅସୁବିଧା ଭୋଗୁଛନ୍ତି। କାରଖାନା ନିକଟରେ ଅଙ୍ଗନବାଡ଼ି କେନ୍ଦ୍ର ଓ ହାଇସ୍କୁଲ ଥିବାରୁ ଏହାର ପ୍ରଭାବ ଛୋଟ ଶିଶୁ ଓ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ଏଥିସହ କାରଖାନା କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରି ଗ୍ରାମର ଗୋଚର ଜମି ଜବରଦଖଲ କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗର ନକଲ ପଠାଇଛନ୍ତି।
ଶୁକ୍ରବାର ଆନ୍ଦୋଳନ ସମୟରେ ଗ୍ରାମବାସୀ କାରଖାନାର ଶ୍ରମିକମାନଙ୍କ ଯାତାୟାତକୁ ଅବରୋଧ କରିଥିବା ବେଳେ ଆନ୍ଦୋଳନକୁ ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ ସମର୍ଥନ ଜଣାଇଛନ୍ତି। ଘନଶ୍ୟାମ ତନ୍ତୀ, ସୁବାସ ପଟେଲ, ଦିଲୀପ ତନ୍ତୀ, ଚନ୍ଦ୍ରଶେଖର ସିଂ, ଅରୁଣ ମାହାର, ଲାଲ ପଟେଲ, ବିନୋଦ ପଟେଲଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଘଟଣାସ୍ଥଳରେ ଝାରସୁଗୁଡ଼ା ଏସଡିପିଓ ଉମାଶଙ୍କର ସିଂ, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, କୃଷ୍ଣଚନ୍ଦ୍ର ମେହେର ଓ ଏସଆଇ ସନ୍ତୋଷ ପ୍ରଧାନଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।
ଖବର ଲେଖା ହେବା ବେଳକୁ ଜିଲ୍ଲା ପ୍ରଶାସନ, କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଚାଲିଥିବା ଜଣାପଡ଼ିଛି। ଏହି ବୈଠକରେ ସମସ୍ୟାର କି ପ୍ରକାର ସମାଧାନ ବାହାରୁଛି, ତାହାକୁ ନେଇ ଅଞ୍ଚଳବାସୀଙ୍କ ନଜର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ