
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.)- ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ମତ୍ସ୍ୟଜିବୀ ମାନଙ୍କୁ ଓଡ଼ିଶା ଉପକୂଳ ଓ ବାହାରକୁ ଏବଂ ଉତରପଶ୍ଚିମ ବଙ୍ଗୋପସାଗରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।
ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଉତର ଓଡ଼ିଶା ଉପକୂଳ ଓ ବାହାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କି.ମି. ତଥା ଏହାର ଝଟ୍କା ୬୫ କି.ମି. ରହିପାରେ । ଏବଂ ଏହାପରେ ପବନର ବେଗ ହ୍ରାସ ପାଇବାର ସମ୍ଭାବନା ରହିଛି ।
ସେହିପରି ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଓ ବାହାରେ ଏବଂ ଉତର ପଶ୍ଚିମ ବଙ୍ଗୋପସାଗରରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କି.ମି. ତଥା ଏହାର ଝଟ୍କା ୮୦ କି.ମି. ରହିପାରେ । ପରେ ଏହା କ୍ରମଶଃ ହ୍ରାସ ପାଇ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ତଥା ଏହାର ଝଟ୍କା ୬୦ କି.ମି. ରହିପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ