
ଗୁଆହାଟୀ, ୨୩ ନଭେମ୍ବର (ହି.ସ.)। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ପାଲଟା ଜବାବ ଦେଇଛନ୍ତି। ଗତ ମଧ୍ୟରାତ୍ରିରେ ଏକ ପୋଷ୍ଟ ସେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ନୂଆ ନୂଆ ଧର୍ମ ଗ୍ରହଣ କରିଥିବା ଲୋକମାନେ ଆମର ପରମ୍ପରା ଓ ଐତିହ୍ୟକୁ ‘ଖୋଜିବା’କୁ ଚେଷ୍ଟା କରନ୍ତି ଏବଂ ତାହାକୁ ନ ବୁଝି ବ୍ୟବହାର କରିବାକୁ ଲାଗନ୍ତି, ସେତେବେଳେ ଏଭଳି ଘଟଣା ଘଟେ। ପ୍ରଶ୍ନବାଚୀ ଢଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ କ’ଣ ଏବେ ଶିବ ଓ ପାର୍ବତୀ ହୋଇଗଲେ? ଦେବାଦେବୀଙ୍କ ଅନୁକରଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ।
ଡ. ଶର୍ମା କହିଛନ୍ତି ଯେ, ଅର୍ଦ୍ଧନାରୀଶ୍ୱର କେବଳ ବୈବାହିକ ପ୍ରେମର କୌଣସି ଚିତ୍ର ନୁହେଁ କିମ୍ବା ଏହା ଏପରି କୌଣସି ଦୃଶ୍ୟ ନୁହେଁ, ଯେଉଁଥିରେ ପତ୍ନୀ ନିଜ ସ୍ୱାମୀଙ୍କ କୋଳରେ ବସିଥାନ୍ତି। ଏହା ସନାତନ ଧର୍ମର ସବୁଠାରୁ ଗଭୀର ସତ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ। ଶିବ ଓ ଶକ୍ତି ଏକ ଅବିଭାଜ୍ୟ ସତ୍ତା। ବ୍ରହ୍ମାଣ୍ଡର କାର୍ଯ୍ୟପ୍ରଣାଳୀରେ ଚେତନା ଓ ଶକ୍ତି, ପୁରୁଷ ଓ ନାରୀଙ୍କୁ ପରସ୍ପରଠାରୁ ଅଲଗା କରାଯାଇପାରିବ ନାହିଁ। ଆମ ପରମ୍ପରାରୁ କିଛି ଗ୍ରହଣ କରିବା ପୂର୍ବରୁ ଅନ୍ତତଃ ତାହାକୁ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଏକ୍ସରେ ଏକ ଚିତ୍ର ସହିତ ନିଜ ପୋଷ୍ଟରେ କହିଥିଲେ, “ମୁଁ ଭାରତୀୟ ଆଧ୍ୟାତ୍ମିକ ଓ ଧାର୍ମିକ ପରମ୍ପରାକୁ ଯେତେ ଗଭୀର ଭାବେ ବୁଝୁଛି, ସେତେ ଅଧିକ ସ୍ପଷ୍ଟତା ଆସୁଛି।” ଏଥିସହିତ ସେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରି କହିଥିଲେ ଯେ, ସେମାନେ ପୁରୁଷପ୍ରଧାନ ଚିନ୍ତାଧାରା ରଖୁଥିବା ଲୋକ, ଯେଉଁମାନଙ୍କର ଆମର ଆଧ୍ୟାତ୍ମିକ ଓ ଧାର୍ମିକ ପରମ୍ପରା ସମ୍ପର୍କରେ ଟିକିଏ ମଧ୍ୟ ବୁଝାମଣା ନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା