
ତିରୁବନ୍ନାମଲାଇ (ତାମିଲନାଡୁ), ୨୩ ନଭେମ୍ବର (ହି.ସ.)। ତିରୁବନ୍ନାମଲାଇର ଅନ୍ନାମଲାୟାର ମନ୍ଦିରରେ ନଭେମ୍ବର ୨୪ ତାରିଖରେ ପ୍ରଜ୍ୱଳିତ ହେବାକୁ ଥିବା ମହାଦୀପମ୍ରେ ବ୍ୟବହୃତ ହେବାକୁ ଥିବା ବିଶାଳ କଡ଼େଇର ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଏହାପରେ ୨,୬୬୮ ଫୁଟ ଉଚ୍ଚ ଦୀପମ୍ ପର୍ବତ ଶିଖରକୁ କଡ଼େଇ ନେବା କାର୍ଯ୍ୟ ଆରମ୍ଭ ହୋଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
ସାଧାରଣତଃ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ମହାଦୀପମ୍ ଅବସରରେ କିମ୍ବା ତା’ ପରଦିନ ଗିରିବଳମ୍ (ପର୍ବତ ପରିକ୍ରମା) ଆରମ୍ଭ ହୋଇଥାଏ। ଚଳିତ ବର୍ଷ କାର୍ତ୍ତିକ ମାସର ପୂର୍ଣ୍ଣିମା ମହାଦୀପମ୍ର ଗୋଟିଏ ଦିନ ପୂର୍ବରୁ ପଡ଼ୁଛି। ଏହା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ସୋମବାର ରାତି ୧୧ଟା ୪୨ ମିନିଟ୍ରେ ଆରମ୍ଭ ହୋଇ ମଙ୍ଗଳବାର ରାତି ୮ଟା ୨୩ ମିନିଟ୍ରେ ଶେଷ ହେବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପୂର୍ଣ୍ଣିମା ଗିରିବଳମ୍ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ମନରେ କେବଳ ସ୍ମରଣ କରିବା ମାତ୍ରେ ମୁକ୍ତି ପ୍ରଦାନ କରୁଥିବା ପବିତ୍ର ତୀର୍ଥସ୍ଥଳ ଭାବେ ପ୍ରସିଦ୍ଧ ତିରୁବନ୍ନାମଲାଇ ଅନ୍ନାମଲାୟାର ମନ୍ଦିରରେ ନଭେମ୍ବର ୧୫ ତାରିଖ ସକାଳେ ଧ୍ୱଜାରୋହଣ ସହ କାର୍ତ୍ତିକ ଦୀପମ୍ ଉତ୍ସବ ଆରମ୍ଭ ହୋଇଥିଲା। ଉତ୍ସବର ଶେଷ ଦିନ ଅର୍ଥାତ୍ ଆସନ୍ତାକାଲି ସକାଳ ୪ଟାରେ ମନ୍ଦିରର ଗର୍ଭଗୃହ ସମ୍ମୁଖରେ ଭରଣୀ ଦୀପମ୍ ଏବଂ ସନ୍ଧ୍ୟା ୬ଟାରେ ମନ୍ଦିର ପଛପଟେ ଥିବା ୨,୬୬୮ ଫୁଟ ଉଚ୍ଚ ଦୀପମ୍ ପର୍ବତ ଶିଖରରେ ମହାଦୀପମ୍ ପ୍ରଜ୍ୱଳିତ କରାଯିବ।
ଏହି କ୍ରମରେ ଆଜି ସକାଳେ ମନ୍ଦିରରେ ମହାଦୀପମ୍ କଡ଼େଇର ସ୍ୱତନ୍ତ୍ର ପୂଜା କରାଯାଇଥିଲା। ଏହାପରେ ୪୦ରୁ ଅଧିକ କର୍ମଚାରୀ ନିଜ କାନ୍ଧରେ କଡ଼େଇକୁ ବୋହି ପର୍ବତ ଶିଖରକୁ ନେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପର୍ବତର ପାରମ୍ପରିକ ସେବାୟତ ପରିବାରର ସଦସ୍ୟମାନେ କଡ଼େଇକୁ ପର୍ବତ ଶିଖରକୁ ନେବା ପାଇଁ ବାହାରିଥିଲେ। ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୩୧୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ମହାଦୀପମ୍ କଡ଼େଇ ପଞ୍ଚଲୋହରେ ନିର୍ମିତ ହୋଇଛି।
ଏହି କଡ଼େଇରେ ଭଗବାନ ଶିବ, ବ୍ରହ୍ମା ଓ ବିଷ୍ଣୁଙ୍କ ପ୍ରତୀକ ଭାବେ ତିନୋଟି ସ୍ତର ରହିଛି। ଶ୍ରଦ୍ଧାଳୁଙ୍କ ଦାନରେ ମିଳିଥିବା ୪,୫୦୦ ଲିଟର ଘିଅ ଏବଂ ୧,୫୦୦ ମିଟର କାଡ଼ା କପଡ଼ା ବ୍ୟବହାର କରି ଆସନ୍ତାକାଲି ସନ୍ଧ୍ୟା ୬ଟାରେ ମହାଦୀପମ୍ ପ୍ରଜ୍ୱଳିତ କରାଯିବ। ଭଗବାନ ଶିବ ଓ ଶକ୍ତି ଏକ ଏବଂ ଅଭିନ୍ନ ବୋଲି ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅର୍ଦ୍ଧନାରୀଶ୍ୱର ମନ୍ଦିର ସମ୍ମୁଖରେ ଦର୍ଶନ ଦେବା ପରେ ଠିକ୍ ସନ୍ଧ୍ୟା ୬ଟାରେ ମହାଦୀପମ୍ ପ୍ରଜ୍ୱଳିତ କରାଯିବ।
ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏଥିସହିତ ମହାଦୀପମ୍ ପ୍ରଜ୍ୱଳନ ଦିନ ଶ୍ରଦ୍ଧାଳୁମାନଙ୍କୁ ଦୀପମ୍ ପର୍ବତ ଉପରକୁ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା