
କାଠମାଣ୍ଡୁ, ୨୪ ନଭେମ୍ବର (ହି.ସ.)- ଭାରତ ଏବଂ ନେପାଳ ମଧ୍ୟରେ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଥିବା 'ସରୟୁ-କମଲା ଏକ୍ସପ୍ରେସ୍' ମଙ୍ଗଳବାର ସକାଳେ ନେପାଳର ଜନକପୁରଧାମରେ ପହଞ୍ଚିଥିଲା। ଟ୍ରେନ୍ ଟି ଭାରତର ଅଯୋଧ୍ୟାରୁ ବାହାରିଥିଲା ଏବଂ ମଙ୍ଗଳବାର ସକାଳ ୯ଟା ୪୦ ମିନିଟରେ ଜନକପୁରଧାମ ରେଳ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଫୁଲ ମାଳ ଏବଂ ଭାରତ-ନେପାଳର ଜାତୀୟ ପତାକା ସହିତ ସ୍ଵାଗତ କରାଯାଇଥିଲା।
ସୋମବାର ଦିନ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଭାରତ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶାହା ମିଳିତ ଭାବେ ଏହି ଟ୍ରେନ୍ ସେବାକୁ ଉଦଘାଟନ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ଏହା ଜନକପୁରଧାମ ଅଭିମୁଖେ ଅଯୋଧ୍ୟାରୁ ବାହାରିଥିଲା। ପ୍ରାୟ ୨୧ ଘଣ୍ଟାର ଯାତ୍ରା ଶେଷ କରିବା ପରେ ଟ୍ରେନଟି ଜନକପୁରଧାମରେ ପହଞ୍ଚିଥିଲା। ଟ୍ରେନ୍ ରେ ଯାତ୍ରୀମାନଙ୍କ ଆଗମନକୁ ନେଇ ଜନକପୁରଧାମରେ ଉତ୍ସାହର ମାହୋଲ୍ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଉଭୟ ଦେଶର ପତାକା ଓ ପୁଷ୍ପମାଳ ଦେଇ ଯାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ।
ଭାରତ ଏବଂ ନେପାଳ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଂଯୋଗ ବୃଦ୍ଧି ପାଇଁ 'ସରୟୁ-କମଲା ଏକ୍ସପ୍ରେସ୍' ଟ୍ରେନ୍ ସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଏହାଦ୍ୱାରା ଅଯୋଧ୍ୟା ଏବଂ ଜନକପୁର ଭଳି ରାମାୟଣ ପରମ୍ପରା ସହ ଜଡ଼ିତ ପ୍ରମୁଖ ଧାର୍ମିକ ସ୍ଥଳଗୁଡ଼ିକ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବ। ଅଯୋଧ୍ୟା ହେଉଛି ଭଗବାନ ରାମଙ୍କ ଜନ୍ମସ୍ଥାନ। ଜନକପୁରଧାମକୁ ମାତା ସୀତାଙ୍କ ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ। ରାମାୟଣ ପରମ୍ପରାରେ ଏହି ଦୁଇଟି ସହରର ସ୍ଵତନ୍ତ୍ର ଧାର୍ମିକ ଏବଂ ଐତିହାସିକ ଗୁରୁତ୍ୱ ରହିଛି।
ଏହି ଟ୍ରେନ୍ ସେବା ଦ୍ୱାରା ଉଭୟ ଦେଶର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନେ ଧାର୍ମିକ ସ୍ଥଳ ପରିଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି। ଏଥି ସହିତ, ପର୍ଯ୍ୟଟନ, ସାଂସ୍କୃତିକ ବିନିମୟ ଏବଂ ଭାରତ ଏବଂ ନେପାଳ ମଧ୍ୟରେ ଜନ ସମ୍ପର୍କ ମଧ୍ୟ ବୃଦ୍ଧି ପାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଲେନ୍ଦ୍ର ଶାହାଙ୍କ ଦ୍ଵାରା ମିଳିତ ଭାବେ ଉଦଘାଟିତ ହେବା ପରେ ଏହି ଟ୍ରେନଟି ଜନକପୁରଧାମରେ ପହଞ୍ଚିବା ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ଏବଂ ଧାର୍ମିକ ପର୍ଯ୍ୟଟନ ସହଯୋଗ ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ବିକାଶ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ