
ନୂଆଦିଲ୍ଲୀ, ୨୫ ନଭେମ୍ବର (ହି.ସ.)। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୭କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଦଳର ନିର୍ବାଚନୀ ରଣନୀତିରେ ଏବେ ସେହି ବିଧାନସଭା ଆସନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରସ୍ତୁତି ଚାଲିଛି, ଯେଉଁଠାରେ ବିଜେପି ଏପର୍ଯ୍ୟନ୍ତ ବିଜୟ ହାସଲ କରିପାରିନାହିଁ। ସୂତ୍ର ଅନୁଯାୟୀ, ଏହି କ୍ରମରେ ଦଳର ‘ପ୍ଲାନ୍-୫୫’ ଏବେ ଚର୍ଚ୍ଚାକୁ ଆସିଛି। ଏହା ଅନ୍ତର୍ଗତ ରାଜ୍ୟର ଏପରି ୫୫ଟି ବିଧାନସଭା ଆସନକୁ ଏକ ସ୍ୱତନ୍ତ୍ର ବର୍ଗରେ ରଖି ସେଗୁଡ଼ିକ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି।
ଏହି ଉଦ୍ୟମର ଉଦ୍ଦେଶ୍ୟ ହେଉଛି ଏହି ଆସନଗୁଡ଼ିକରେ ସଂଗଠନର ଦୁର୍ବଳତାକୁ ବୁଝିବା ଏବଂ ତୃଣମୂଳ ସ୍ତରରେ ଦଳର ଉପସ୍ଥିତିକୁ ଅଧିକ ମଜବୁତ କରିବା। ରାଜ୍ୟର ସମସ୍ତ ୪୦୩ଟି ବିଧାନସଭା ଆସନରେ ସାଂଗଠନିକ ସକ୍ରିୟତା ବୃଦ୍ଧି କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଏହି ୫୫ଟି ଆସନ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଦଳ ଅନୁଭବ କରିଛି।
ଦଳୀୟ ସୂତ୍ର ଅନୁଯାୟୀ, ଏହି ଆସନଗୁଡ଼ିକରେ ଦଳର ଧ୍ୟାନ କେବଳ ନିର୍ବାଚନ ସମୟରେ ପ୍ରଚାର କରିବା ମଧ୍ୟରେ ସୀମିତ ରହିବ ନାହିଁ। ସାଂଗଠନିକ ସ୍ତରରେ କେଉଁ କାରଣରୁ ଏହି ଅଞ୍ଚଳଗୁଡ଼ିକରେ ଦଳକୁ ସଫଳତା ମିଳିପାରିନାହିଁ, ତାହା ଜାଣିବାକୁ ଉଦ୍ୟମ କରାଯିବ। ସ୍ଥାନୀୟ ରାଜନୈତିକ ସମୀକରଣ, ସାମାଜିକ ପ୍ରତିନିଧିତ୍ୱ, ପ୍ରାର୍ଥୀଙ୍କ ସ୍ଥିତି ଏବଂ ବୁଥ୍ ସ୍ତରରେ ସଂଗଠନର ସକ୍ରିୟତା ଭଳି ବିଭିନ୍ନ ଦିଗର ସମୀକ୍ଷା କରାଯିବ।
ନିକଟରେ ଲକ୍ଷ୍ନୌ ଓ ମଥୁରାରେ ଅନୁଷ୍ଠିତ ବିଜେପିର କୋର୍ କମିଟି ବୈଠକରେ ମଧ୍ୟ ୨୦୨୨ ବିଧାନସଭା ନିର୍ବାଚନରେ ହାରିଥିବା ଆସନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଏବଂ ନେତାମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବା ନେଇ ଆଲୋଚନା ହୋଇଥିଲା। ଏହି ଅଞ୍ଚଳଗୁଡ଼ିକରେ ବୁଥ୍ କମିଟିଗୁଡ଼ିକୁ ପୁନର୍ବାର ସକ୍ରିୟ କରିବା ଏବଂ କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କରାଇବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।
ବିଜେପିର ଏହି ରଣନୀତିରେ ସ୍ଥାନୀୟ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଅଞ୍ଚଳଗୁଡ଼ିକରେ ସ୍ଥାନୀୟ ପଦାଧିକାରୀ ଓ କର୍ମୀମାନଙ୍କୁ ସକ୍ରିୟ କରିବା ସହ ବରିଷ୍ଠ ନେତାମାନଙ୍କ ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିପାରେ ଦଳ। ଏଥିସହ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ନେଇ ମଧ୍ୟ ଆଗୁଆ ମତାମତ ସଂଗ୍ରହ କରିବାର ରଣନୀତି ଉପରେ କାମ କରାଯାଇପାରେ। ନିର୍ବାଚନର କିଛି ମାସ ପୂର୍ବରୁ ନୁହେଁ, ବରଂ ଏବେଠାରୁ ଏହି ଅଞ୍ଚଳଗୁଡ଼ିକରେ ନିରନ୍ତର ସକ୍ରିୟ ରହିବା ଉପରେ ଦଳ ଗୁରୁତ୍ୱ ଦେଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା